କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ଝାରସୁଗୁଡ଼ା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ପଡିଲା ଡ୍ରୋନ୍ । ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଝାରସୁଗୁଡ଼ା ଗସ୍ତ କରିଥିଲେ  । ତାଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାରେ ଏଭଳି ସାଂଘାତିକ୍ ତ୍ରୁଟି ସାମନାକୁ ଆସିଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି । 

Advertisment

ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ଲାଗି ଯାଉଥିବା ସମୟରେ ଏକ ଅଚିହ୍ନା ଡ୍ରୋନ୍‌ ତାଙ୍କ ପାଖରେ ଆସି ଖସିପଡ଼ିଥିଲା । କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍‌ଟି ଅତର୍କିତ ଭାବେ ଖସି ପଡ଼ିବାରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବି ହଡ଼ବଡ଼େଇ ଯିବା ସହ ଚମକି ପଡ଼ିଥିଲେ । ଯାହାର ଦୃଶ୍ୟ ଉକ୍ତ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି । 

ତେବେ ପିଏସଓ ଓ ଉପସ୍ଥିତ ପୁଲିସ୍‌ ଡ୍ରୋନକୁ ପାଦରେ ଏଡ଼ାଇ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ସ୍ବାଭାବିକ ଢଙ୍ଗରେ ଚାଲିଥିଲା । କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡ଼ାଇଥିବା ଜଣାପଡ଼ିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍‌ ଉଡ଼ାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।