କନକ ବ୍ୟୁରୋ: ରସଗୋଲା ପରେ ଆଉ ଏକ ମିଠାକୁ ନେଇ ତେଜିଲା ବିବାଦ । କିନ୍ତୁ ଏଥର ଦୁଇ ରାଜ୍ୟ ମଧ୍ୟରେ ନୁହଁ ବରଂ ଗୋଟିଏ କୁଟୁମ୍ୱ ଭିତରେ ହୋଇଛି ବିବାଦ । ଆମେ କହୁଛୁ ଛେନାପୋଡର କଥା । ଛେନାପୋଡର ଉତ୍ପତ୍ତି ତଥା ଏହାର ପ୍ରସ୍ତୁତକର୍ତ୍ତାକୁ ନେଇ ବଢିଛି ଦ୍ୱନ୍ଦ । ନୟାଗଡ ଜିଲ୍ଲା ପ୍ରଶାସନ ଛେନାପୋଡର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିବାବେଳେ ସେଥିରେ ଭୁଲ ତଥ୍ୟ ଥିବା ଅଭିଯୋଗ ଉଠିଲାଣି ।
- ଛେନାପୋଡର ଉତ୍ପତ୍ତି କେଉଁଠି?
- ଏନ୍ତୁଡିଶାଳକୁ ନେଇ ଉଠିଲା ପ୍ରଶ୍ନ
ଛେନାପୋଡର ଉତ୍ପତ୍ତି କେଉଁଠି ଦଶପଲ୍ଲା ନା ନୟାଗଡ ? ଏହାକୁ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ବିଦ୍ୟାଧର ନା ସୁଦର୍ଶନ ? ଏବେ ଉଠିଛି ଏହି ପ୍ରଶ୍ନ । ଛେନାପୋଡର ଜିଆଇ ଟ୍ୟାଗ ପାଇଁ ନୟାଗଡ ଜିଲ୍ଲା ପ୍ରଶାସନ ତଥା ଓରମାସ ଆବେଦନ କରିଥିବାବେଳେ ସେଥିରେ ଭୂଲ ତଥ୍ୟ ଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଅନୁଯାୟୀ ଛେନାପୋଡର ଉତ୍ପତ୍ତି ହେଉଛି ନୟାଗଡ ଏବଂ ଏହାର ସ୍ରଷ୍ଟା ହେଉଛନ୍ତି ସୁଦର୍ଶନ ସାହୁ । କିନ୍ତୁ ଏହି ତଥ୍ୟକୁ ଭୁଲ କହିଛନ୍ତି କିଛି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନୟାଗଡ ନୁହଁ ଦଶପଲ୍ଲା ହେଉଛି ଛେନାପୋଡର ଏନ୍ତୁଡିଶାଳ ଓ ସୁଦର୍ଶନ ନୁହନ୍ତି ବରଂ ବିଦ୍ୟାଧର ସାହୁ ହିଁ ଛେନାପୋଡର ମୁଖ୍ୟ ସ୍ରଷ୍ଟା ।
୪ ବର୍ଷ ହେବ ନୟାଗଡ ବିକାଶ ମଞ୍ଚ ଓ ଓଡିଆ ମିଡିଆ ପ୍ରାଇଭେଟ ଲିମିଟେଡ ଛେନାପୋଡ ଦିବସ ପାଳନ କରିଆସୁଛନ୍ତି । ଏପ୍ରିଲ ୧୧ ତାରିଖରେ ସୁଦର୍ଶନ ସାହୁଙ୍କର ଜନ୍ମ ତିଥିକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । କିନ୍ତୁ ଏବେ ବିଦ୍ୟାଧର ସାହୁଙ୍କ ପୂଣ୍ୟତିଥି ଡିସେମ୍ୱର ୩୧ ତାରିଖକୁ ଛେନାପୋଡ ଦିବସ ପାଳନ କରିବାକୁ ଦାବି ଉଠିଛି । ନୟାଗଡ ଜିଲ୍ଲାପ୍ରଶାସନ ଜିଆଇ ଟ୍ୟାଗ ପାଇଁ ଆବେଦନ କରିବା ସମୟରେ ଯେଉଁ ତଥ୍ୟ ଦେଇଛି ତାହାକୁ ଭୁଲ ଦର୍ଶାଇ ଏହାକୁ ସଂଶୋଧନ କରିବା ପାଇଁ ଏକଜୁଟ ହୋଇଛନ୍ତି କିଛି ସଙ୍ଗଠନ । ଏହାକୁ ନାପସନ୍ଦ କରିଛି ନୟାଗଡ ବିକାଶ ମଞ୍ଚ ।
ଛେନାପୋଡର ଉତ୍ପତ୍ତିସ୍ଥଳ ଓ ସ୍ରଷ୍ଟାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ ରହିଛି । ଆଉ ଏହି ଦ୍ବନ୍ଦ୍ବକୁ ଦୂର କରିବାକୁ ଦାବି ବି ଜୋର ଧରିଲାଣି ।