କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ଯଦି ଠିକ ସମୟରେ ଚିକିତ୍ସା କରାଯାଇଥାନ୍ତା, ହୁଏତ ବାପା ବଞ୍ଚିଥାନ୍ତେ ବୋଲି ପୁଅ କହିଛନ୍ତି ।
ବାପା ନବଜୋତ ସିଂଙ୍କ ଅକାଳ ମୃତ୍ୟୁ ପରେ ପୁଅ ନବନୁର ଏଭଳି ପ୍ରଶ୍ନ ଭିତରେ ଘାଣ୍ଟି ହେଉଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଚିକିତ୍ସା କରାଯାଇଥିଲେ ହୁଏତ ବାପା ବଞ୍ଚିପାରିଥାନ୍ତେ । କେଉଁଠି ରହିଲା ଅବହେଳା, କାହିଁକି ତାଙ୍କୁ ଏତେ ଦୂର ନିଆଗଲା? ଆମ୍ବୁଲାନ୍ସରେ ନନେଇ ଟ୍ରଲି ରିକ୍ସା କାହିଁକି ହସ୍ପିଟାଲ ନିଆଯାଇଥିଲା? ଏହି ପ୍ରଶ୍ନ ପଚାରି ନ୍ୟାୟ ମାଗିଛନ୍ତି ଅଧିକାରୀଙ୍କ ପୁଅ । ନବଜୋତ ସିଂ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀ ଥିଲେ । ପତ୍ନୀଙ୍କ ସହ ଗୁରୁଦ୍ବାରାରୁ ବାଇକରେ ଫେରିବା ବେଳେ ଭୟଙ୍କର କାର୍ ଧକ୍କାର ଶିକାର ହୋଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାରଟି ଜଣେ ମହିଳା ଚଳାଉଥିଲେ ଏବଂ ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ମହିଳା ତାଙ୍କ ସ୍ୱାମୀ ଓ ଦୁଇ ଆହତଙ୍କୁ ମେଡିକାଲକୁ ନେଇଥିଲେ । କିଛି ସମୟ ପରେ ହସ୍ପିଟାଲରେ ନବଜୋତଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ଚିକିତ୍ସାଧୀନ ଅଛନ୍ତି । ବିଏମ୍ଡବ୍ଲ୍ୟୁ କାର୍ ଚଳାଉଥିବା ମହିଳା ଏବଂ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଅଛନ୍ତି । ପୁଲିସ କାର ଏବଂ ବାଇକକୁ ଜବତ କରି ତଦନ୍ତ କରୁଛି । କ୍ରାଇମ୍ ଏବଂ ଏଫଏସ୍ଏଲ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ପ୍ରଶ୍ନ ଉଠୁଛି, ଯଦି ଜଣେ ବରିଷ୍ଠ ଅଧିକାରୀଙ୍କ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହେଉଛି, ତେବେ ସାଧାରଣ ଲୋକ କ’ଣ ବା କରିବେ ।