କନକ ବ୍ୟୁରୋ: ଆଇପିଏଲରେ ଏବେ ୧୪ ବର୍ଷୀୟ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଗୁଜରାଟ ବିପକ୍ଷ ମ୍ୟାଚରେ ତାଙ୍କ ଦମଦାର ବ୍ୟାଟିଂ ସମସ୍ତଙ୍କ ହୃଦୟ ଜିତିଥିଲା । ସେ ୩୫ ବଲରୁ ଶତକ ହାସଲ କରି ଇତିହାସ ରଚିଥିଲେ । ସେ ଆଇପିଏଲରେ ସବୁଠାରୁ କମ ବୟସ୍କ ଖେଳାଳି ଭାବେ ଏହି ରେକର୍ଡ କରିଛନ୍ତି । ଆଉ ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ କରିବାରେ ସେ ୟୁସୁଫ ପଠାନଙ୍କ ରେକର୍ଡ ବି କାଟି ଦେଇଛନ୍ତି । ତେବେ ଏତେ କମ ବୟସରେ ଏତେ ସାରା ଉପଲବ୍ଧି ପରେ ଏବେ ତାଙ୍କ ବୟସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ପରେ ଏବେ ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ୨୦୨୩ର ତାଙ୍କର ଏକ ଇଣ୍ଟରଭ୍ୟୁ ଭାଇରାଲ ହୋଇଥିଲା । ସେହି ଭିଡିଓରେ ସେ କହୁଛନ୍ତି ସେପ୍ଟେମ୍ୱର ୨୦୨୩ରେ ତାଙ୍କୁ ୧୪ ବର୍ଷ ହୋଇଯିବ । ଅର୍ଥାତ ବୈଭବଙ୍କ ଏହି କଥା ଅନୁସାରେ ଏବେ ତାଙ୍କୁ ୧୬ ବର୍ଷ ହେବା କଥା ।
ଆଇପିଏଲ ରେକର୍ଡ ବୁକ ଅନୁସାରେ ବୈଭବଙ୍କ ଜନ୍ମ ୨୭ ମାର୍ଚ୍ଚ ୨୦୧୧ରେ ହୋଇଥିଲା । ତାଙ୍କର ବର୍ତ୍ତମାନର ବୟସ ୧୪ ବର୍ଷ ୩୬ ଦିନ । ତାଙ୍କ ବୟସକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି । ସେହିପରି ବୈଭବଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ କିନ୍ତୁ ଏହି ଅଭିଯୋଗକୁ ଖାରଜ କରିଛନ୍ତି । ସେ କହିଛନ୍ତି, ବୈଭବ ୮ ବର୍ଷର ହୋଇଥିଲା ବେଳେ ସେ ପ୍ରଥମଥର ବୋନ ଟେଷ୍ଟ ଦେଇଥିଲା । ଆଉ ସେ ଭାରତ ପାଇଁ ବି ଅଣ୍ଡର ୧୯ ଖେଳି ସାରିଛି । ଏହି କଥାକୁ ନେଇ ଆମର ଡରିବାର ନାହିଁ । ବୈଭବ ପୁଣି ଏଜ ଟେଷ୍ଟ ଦେଇପାରିବ ।
ତେବେ ବୈଭବଙ୍କ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି, ଖେଳାଳିଙ୍କ ବୟସ ଯାଞ୍ଚ ପାଇଁ ବିସିସିଆଇ କେଉଁ ଉପାୟ ଅବଲମ୍ୱନ କରୁଛି । ବିସିସିଆଇ ବୟସ ଯାଞ୍ଚ ପାଇଁ ବର୍ତ୍ତମାନ ଟ୍ୟାନ୍ନର ହ୍ୱାଇଟହାଉସ ୩ ଟେକ୍ନିକ ବ୍ୟବହାର କରୁଛି । ଏହି ଟେକ୍ନିକରେ ଖେଳାଳିଙ୍କ ହାଡ଼ର ପରିପକ୍ୱତାର ଯାଞ୍ଚ ପାଇଁ ବାମ ହାତ ଓ ରିଷ୍ଟର ଏକ୍ସରେ କରାଯାଏ । ରିଷ୍ଟର ସ୍କିନରେ ବୟସର ଅନୁମାନ ସେହି ୨ ଦୁଇ ହାଡ଼କୁ ଦେଖିକି କରାଯାଏ, ଯାହା ଆରମ୍ଭରୁ ପୃଥକ ପୃଥକ ହୋଇ ରହିଥାଏ ।
ବୟସ ବଢିବା ସହ ହାଡ଼ଗୁଡିକ ମିଶି ଯାଏ । ଏହି ଟେକ୍ନିକ ପାଇଁ ବାମ ହାତର ବ୍ୟବହାର କରିବାର ଆଉ ଏକ କାରଣ ହେଉଛି ଅଧିକ ଲୋକ ଡାହାଣ ହାତର ବ୍ୟବହାର କରିଥାନ୍ତି । ଏମିତିରେ ବାମ ହାତ ତୁଳନାରେ ଡାହାଣ ହାତ ଅଧିକ ଆହତ ହେବାର ସମ୍ଭାବନା ଥାଏ । ଏବେ ବୋନ ଟେଷ୍ଟ ପାଇଁ ୨୪ ଶହ ଟଙ୍କା ଖର୍ଚ୍ଚ ହେଉଛି । ଆଉ ଏହାର ରିପୋର୍ଟ ଆସିବାକୁ ୩ ଦିନ ଲାଗିଯାଏ । ବର୍ତ୍ତମାନ ରାଜ୍ୟ କ୍ରିକେଟ ଆସୋସିଏସନ ଖେଳାଳିଙ୍କର ଏହି ଟେଷ୍ଟ କରୁଛି । ଆଉ ବିସିସିଆଇ ପର୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ଟେଷ୍ଟ କରାଯାଇଥାଏ । ରାଜ୍ୟରେ ଟେଷ୍ଟ ହେବା ପରେ ଏହାର ସାମ୍ପୁଲ ଏକ୍ସପର୍ଟଙ୍କ ପାଖକୁ ଯାଇଥାଏ । ଏହାପରେ ଫଳାଫଳ ସାମ୍ନାକୁ ଆସିଥାଏ ।
ତେବେ ବୈଭବଙ୍କ କ୍ଷେତ୍ରରେ ଏହି ଟେଷ୍ଟ ପୁଣି କରାଯାଉଛି କି ନାହିଁ ତାହା ପରେ ଜଣାପଡ଼ିବ । ବୈଭବ ଚଳିତଆଇପିଏଲରେ ଏପ୍ରିଲ ୧୯ ତାରିଖରେ ଲକ୍ଷ୍ନୌ ବିପକ୍ଷରେ ସବୁଠାରୁ କମ ବୟସ୍କ ଖେଳାଳି ଭାବେ ଡେବ୍ୟୁ କରିଥିଲେ ।