କନକ ବ୍ୟୁରୋ : ଏପରି ଅନେକ ମହିଳା ଅଛନ୍ତି ଯାହାଙ୍କ କାହାଣୀ ଅନ୍ୟକୁ ପ୍ରେରଣା ଦିଏ । ସେମାନଙ୍କ ମଧ୍ୟରେ ରାଇମତି ଅନନ୍ୟ । କୋରାପୁଟର ଡକ୍ଟର ରାଇମତି ଘିଉରିଆ,ରାଜ୍ୟରେ ମାଣ୍ଡିଆରାଣୀ ଭାବେ ଜଣାଶୁଣା । ଚାଷ କ୍ଷେତ୍ରରେ ମାଇଲ ଖୁଣ୍ଟର ପରିଚୟ ପାଇଁ ତାଙ୍କୁ ମିଳିଛି ଡକ୍ଟରେଟ । ବିଭିନ୍ନ କିସମର ମାଣ୍ଡିଆ ବିହନ ସଂରକ୍ଷିତ କରିଛନ୍ତି ରାଇମତି । ଅନ୍ୟଙ୍କୁ ବିହନ ସମ୍ପର୍କରେ ବୁଝାଇ ସହଯୋଗ କରୁଛନ୍ତି । ନିଜ ଜମିରେ ୧୨୪ ପ୍ରକାର ଦେଶୀ ମାଣ୍ଡିଆ ଚାଷ କରିଛନ୍ତି । ମିଲେଟ ମିଶନ ସହଯୋଗରେ ରେକର୍ଡ କରିଛନ୍ତି ରାଇମତି । ଦେଶ ବିଦେଶରେ  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଇମତି ଜି-୨୦ ଶିଖର ସମ୍ମିଳନୀରେ ପ୍ରଶଂସିତ ହୋଇଛନ୍ତି । 

Advertisment

ଏହି ଯାତ୍ରା ରାଇମତିଙ୍କ ପାଇଁ ସେତେ ସହଜ ନଥିଲା । ସେ କୁହନ୍ତି,ଦିନ ଥିଲା ଗୋଟିଏ ଓଳି ଖାଇବା ବି ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା । ଗୋଟେ ଓଳି ପେଜ ପିଉଥିଲେ ଆଉ ଏକ ଓଳି ଖୁଦରେ ତିଆରି ଭାତ ଖାଉଥିଲେ । ପରିସ୍ଥିତି ଏମିତି ଥିଲା ଯେ, ଦିନ ମଜୁରିଆ ଭାବେ ବି କାମ କରି ପରିବାର ପୋଷିବାକୁ ପଡିଛି କିନ୍ତୁ ମାଣ୍ଡିଆ ତାଙ୍କ ଜୀବନର ସବୁକିଛି ବଦଳାଇଦେଲା । ମାଣ୍ଡିଆ ପାଇଁ କୋରାପୁଟରୁ ବିଦେଶମାଟି ଯାଏଁ ସ୍ବତନ୍ତ୍ର ପରିଚୟ ପାଇଥିବା ରାଇମତି ଡକ୍ଟରେଟ୍‌ ଉପାଧି ପାଇଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇମତିଙ୍କୁ ଡକ୍ଟରେଟ ସମ୍ମାନରେ ସମ୍ମାନୀତ ମଧ୍ୟ କରିଥିଲେ ।