କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ନେଇ ଆଲୋଚନା ଭିତରେ ପୁଟିନଙ୍କ ସ୍ବାସ୍ଥ୍ୟ ନେଇ ବଡ଼ ସୂଚନା ଦେଇଛନ୍ତି ଜେଲେନସ୍କି । ଖୁବଶୀଘ୍ର ଋଷ ରାଷ୍ଟ୍ରପତି ପୁଟିନଙ୍କ ମୃତ୍ୟୁ ହେବ ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଋଷର ଜୋରଦାର ଆକ୍ରମଣ ଭିତରେ ସାମ୍ନାକୁ ଆସିଛି ଏଭଳି ଖବର । ପ୍ୟାରିସରେ ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏଭଳି ବିସ୍ଫୋର କ ବୟାନ ଦେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବୁଧବାର ବୈଠକ ପରେ ଜେଲେନସ୍କି ଗଣମାଧ୍ୟମକୁ ଏଭଳି ବୟାନ ଦେବା ସହ ଶୀଘ୍ର ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ଦାବି କରିଛନ୍ତି । ଗତ ସପ୍ତାହରେ ଏକ କନ୍‌ଫରେନ୍ସରେ ପୁଟିନ୍‌ ଛୋଟ ଷ୍ଟୋକ୍‌ର ଶିକାର ହୋଇଥିଲେ । ତାଙ୍କ ହାତ, ଗୋଡ଼ ଥରୁଥିବା ବେଳେ ନିୟନ୍ତ୍ରଣ ବାହାରେ ଥିବା କୁହାଯାଉଛି । ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରିପୋର୍ଟ ଭିତରେ ଜେଲେନସ୍କିଙ୍କ ବୟାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

Advertisment

ପୁଟିନ୍‌ଙ୍କୁ ହୋଇଛି କେଉଁ ରୋଗ?
ୟୁକ୍ରେନ ସହ ଯୁଦ୍ଧ ଭିତରେ କିଛି ମାସ ହେଲା ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡିଥିବା ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ପୂର୍ବରୁ ପୁଟିନ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା । ପୁଟିନ୍‌ଙ୍କୁ ପରକିନ୍‌ସନ୍ ଭଳି ଭୟଙ୍କର ରୋଗ ହୋଇଥିବା ନେଇ ମଧ୍ୟ ରିପୋର୍ଟ ଆସିଛି । ପରକିନସନ୍ ରୋଗ ଦ୍ବାରା ମଣିଷ ନର୍ଭସ ସିଷ୍ଟମ ଖରାପ ହେବା ସହ ଚଲାବୁଲା କରିବାରେ ଅସୁବିଧା ହୋଇଥାଏ । ପୁଟିନଙ୍କ ଗୋଡ, ହାତ ଥରୁଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୨୨ରେ ପୁଟିନଙ୍କୁ ଚେୟାର ବସିବା ପାଇଁ ଟେବୁଲର ସାହାରା ନେବାକୁ ପଡୁଥିବାର ଭିଡିଓ ସାମ୍ନା ଆସିଥିଲା । ଏବେ ଜେଲେନସ୍କିଙ୍କ ଏଭଳି ବୟାନ ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ପୁଟିନଙ୍କ ମୃତ୍ୟୁ ହେଲେ ଖୁବଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି ମଧ୍ୟ ଦାବି କରିଛନ୍ତି ଜେଲେନସ୍କି ।