ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ରହିଛି । ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷଠୁ ତେଲ କିଣିବା ପାଇଁ ଭାରତ ଉପରେ କଡ଼ା ଟାରିଫ ଲଗାଇଛି । ଏହି ଉଚ୍ଚସ୍ତରୀୟ ଗସ୍ତ ପ୍ରଥମେ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମସ୍କୋ ଗସ୍ତ କରିବା ସମୟରେ ଘୋଷଣା କରାଯାଇଥିଲା ।
Advertisment
ତଥାପି, ସେହି ସମୟରେ ତାରିଖ ସ୍ଥିର ହୋଇନଥିଲା । ପରେ, ଚୀନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ କାରରେ ଯାଇଥିବାବେଳେ ପ୍ରାୟ ଏକ ଘଣ୍ଟା ଧରି ବୈଠକ କରିଥିଲେ । ପୁଟିନଙ୍କ ଭାରତ ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ରୁଷ ସହିତ ବାଣିଜ୍ୟକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗୁ କରିଛନ୍ତି । ସେ ଦାବି କରିଛନ୍ତି ଯେ ଏହି ପଦକ୍ଷେପ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷ ଉପରେ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ । ଉଲ୍ଲେଖ ଥାଉ କି ଭାରତ ଏବଂ ରୁଷ ଦଶନ୍ଧି ପୁରୁଣା ସମ୍ପର୍କ ବଜାୟ ରଖିଛନ୍ତି । ସୋଭିଏତ୍ ଯୁଗରୁ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗ ରହିଛି । ରୁଷ ଭାରତର ସର୍ବବୃହତ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହୋଇ ରହିଛି । ଏହା ବ୍ୟତୀତ, ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଭାରତ ରୁଷରୁ ସର୍ବାଧିକ ତୈଳ କ୍ରେତାମାନଙ୍କ ମଧ୍ୟରୁ ଗୋଟିଏ ହୋଇସାରିଛି । ବିଶେଷକରି ଆମେରିକାର ବର୍ଦ୍ଧିତ ବାଣିଜ୍ୟ ଚାପକୁ ଦୃଷ୍ଟିରେ ରଖି ପୁଟିନଙ୍କ ଗସ୍ତକୁ ଭାରତର କୂଟନୈତିକ ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । 
ତେବେ ପୁଟିନଙ୍କ ଭାରତ ଗସ୍ତ ପରେ ଆମେରିକାର ପ୍ରତିକ୍ରିୟା କଣ ରହିବ ତା ଉପରେ ରହିବ ନଜର ।