ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜ୍ଜୁନଙ୍କ ଅଭିନୀତ ସିନେମା ପୁଷ୍ପା-୨ ରିଲିଜ୍ ହେବା ପରେ ସିନେମା ହଲରେ ଯେମିତି ଫ୍ୟାନ୍ସଙ୍କର ସୁନାମୀ ଲାଗିଛି । ଟିଜର୍ ଯେମିତି ପ୍ରଶଂସକଙ୍କୁ ଘାଇଲା କରିଥିଲା ଏବେ ସିନେମା ଦେଖି ଫ୍ୟାନ୍ସ ପାଗଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ହଲ୍ ଆଗରେ ପୁଷ୍ପା ପୋଷ୍ଟରରେ କିଏ କ୍ଷୀର ଢାଳିଲେଣି ତ ଆଉ କିଏ ପୁଷ୍ପା ହେୟାରକଟ୍ , ଡ୍ରେସ୍ ପିନ୍ଧି ଝୁକେଗା ନୈହିଁର ଡାଏଲଗ୍ କହି ବୁଲିଲେଣି । ସିନେମାଟିକୁ ପ୍ରଥମଦିନରୁ ହିଁ ଦର୍ଶକଙ୍କର ବହୁତ ଭଲ ରେସପନ୍ସ ମିଳିଛି । କିନ୍ତୁ ଏହାରି ଭିତରେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନଙ୍କର ଅଡୁଆ ମଧ୍ୟ ବଢିଛି ।
ହାଇଦ୍ରାବାଦର ଚିକ୍କଡପଲ୍ଲୀ ଥାନାରେ ଅଲ୍ଲୁଙ୍କ ବିରୋଧରେ ଏତଲା ଦିଆଯିବାର ସୂଚନା ମିଳୁଛି । ତେବେ ସମ୍ପୁର୍ଣ୍ଣ ଘଟଣାଟି ହେଉଛି ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ପ୍ରିମିୟରର ଆୟୋଜନ ଚିକ୍କଡପଲ୍ଲୀର ସଂନ୍ଧ୍ୟା ୭୦ ଏମଏମ୍ ହଲରେ ହୋଇଥିଲା । ଖଚାଖଚ୍ ଭିଡ଼ କାରଣରୁ ଦର୍ଶନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହେଲା । ଏହାରି ଭିତରେ ଦିଲସୁଖ ନଗରର ରେବତୀ ନିଜ ସ୍ୱାମୀ ଭାଷ୍କର ଏବଂ ୨ ସନ୍ତାନ ଶ୍ରୀତେଜ୍ ଏବଂ ସମ୍ଭୀକାଙ୍କ ସହ ପୁଷ୍ପା-୨ ର ପ୍ରିମିୟର୍ ଶୋ’ ଦେଖିବାକୁ ପହଂଚିଥିଲେ । ଧାଁଦଉଡ଼ ଭିତରେ ରେବତୀଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ଏବେ ସଂନ୍ଧ୍ୟା ୭୦ ଏମଏମ୍ ହଲର ଅଡୁଆ ବଢିଛି । ଦ ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ମାମଲାରେ ଅଲ୍ଲୁ ଅର୍ଜ୍ଜୁନଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି ।
ଦକ୍ଷିଣ ଭାରତରେ ସାଉଥ୍ ସୁପରଷ୍ଟାରଙ୍କ ସିନେମା ପ୍ରେକ୍ଷାଳୟକୁ ଆସିବ ଆଉ ଭିଡ଼ ହେବନି ଏ କେମିତି ସମ୍ଭବ । ବହୁ ପ୍ରତୀକ୍ଷିତ ସିନେମା ପୁଷ୍ପା-୨ କୁ ଚାତକ ପକ୍ଷୀ ପରି ଚାହିଁଥିବା ଦର୍ଶକ ଫିଲ୍ମ ରିଲିଜ୍ ହେବା କ୍ଷଣି ହଲକୁ ଦୌଡ଼ିଲେ । ପ୍ରିମିୟର୍ ଚାଲିଥିବା ହଲରେ ଏତେ ଗହଳି ଥିଲା ଯେ ଉକ୍ତ ମହିଳା ଏବଂ ତାଙ୍କ ପୁଅ ଶ୍ରୀଜେସ୍ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ତୁରନ୍ତ ପୁଲିସ୍ ହଲରେ ପହଂଚି ଉଭୟ ମା’ ଓ ପୁଅକୁ ସିପିଆର୍ ଦେଇଥିଲେ । ଶ୍ରୀଜେସ୍ ପ୍ରତିକ୍ରିୟା ରଖୁଥିଲେ ହେଁ ରେବତୀଙ୍କର ସେତେବେଳକୁ ଜୀବନ ଯାଇସାରିଥିଲା । ଡାକ୍ତରଙ୍କ କହିବାନୁସାରେ ଶ୍ରୀଜେସଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଏହି ମାମଲାରେ ପୋଲିସ୍ ପୂର୍ବରୁ ହିଁ ଥିଏଟରର ମାଲିକଙ୍କ ନାଁରେ କେସ୍ ଫାଇଲ୍ କରିସାରିଛି ।
ଖବର ଅନୁସାରେ , ବିଭିନ୍ନ ସଂଗଠନର ନେତା ,ମୃତ ମହିଳାଙ୍କ ପରିବାର ଏବଂ ଓକିଲ ଅଭିନେତା ଅଲ୍ଲୁ ଅର୍ଜ୍ଜୁନଙ୍କ ନାଁରେ ଏବଂ ତାଙ୍କ ପୁରା ଟିମ୍ ନାଁରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହାକୁ ଆଧାର କରି ପୋଲିସ୍ ଅଲ୍ଲୁ , ସୁକୁମାର୍ ଏବଂ ତାଙ୍କ ଟିମ୍ ବିରୋଧରେ ବିଏନଏସ୍ ଆକ୍ଟର ଧାରା ୧୦୫ , ୧୦୮ ରେ କେସ୍ ଫାଇଲ୍ କରିଛନ୍ତି । ତେବେ ହଲରେ ରାତ୍ରି ସାଢ଼େ ୯ଟା ବେଳେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନ୍ ନିଜ ବଡିଗାର୍ଡଙ୍କ ସହ ପହଂଚିଥିଲେ । ଏହି ସମୟରେ ସାଉଥ୍ ହିରୋଙ୍କୁ ଦେଖି ଅଟୋଗ୍ରାଫ୍ ନେବା ପାଇଁ ଲୋକଙ୍କ ଭିତରେ ଯେମିତି ରେସ୍ ଲାଗିଲା । ଧାଁଦଉଡ଼ ଭିତରେ ରେବତୀ ଏବଂ ତାଙ୍କ ପୁଅଙ୍କ ସହ ଏଭଳି ଅଭାବନୀୟ ଘଟଣା ଘଟିଗଲା ।