କନକ ବ୍ୟୁରୋ : ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ଓଲଟଫେର ସେତେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ସୀମାଞ୍ଚଳରେ ନୀତିଶଙ୍କ ପାଇଁ ଢାଲ ସାଜିଥିବା ପୂର୍ବତନ ସାଂସଦ ସନ୍ତୋଷ କୁଶବାହା ଆଜି ଜେଡିୟୁରୁ ଇସ୍ତଫା ଦେଉଛନ୍ତି । ସେ ପୂର୍ନିଆ ସଂସଦୀୟ କ୍ଷେତ୍ରରୁ ପୂର୍ବରୁ ସାଂସଦ ଥିଲେ । କୁହାଯାଉଛି କି ସନ୍ତୋଷ ଜେଡିୟୁରୁ ଇସ୍ତଫା ଦେଇ ସାଥୀ ସମର୍ଥକଙ୍କ ସହ ଆଜି ଆରଜେଡିରେ ଯୋଗ ଦେବେ ।
ସନ୍ତୋଷ କୁଶବାହା ସୀମାଞ୍ଚଳ ରାଜନୀତିରେ ଏକ ବଡ଼ ଚେହେରା । ଏହାସହ ସେ ନୀତିଶ କୁମାରଙ୍କ ଅତି ନିକଟତର ଥିଲେ । ହେଲେ କିଛି ମାସ ହେବ ସେ ଜେଡିୟୁର ନେତୃତ୍ୱଙ୍କୁ ନେଇ ଖୁସି ନଥିଲେ । ସେପଟେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଉଥିଲା । ରାଜନୈତିକ ବିଶ୍ଳେଷକଙ୍କ ମତରେ ସୀମାଞ୍ଚଳରେ ସନ୍ତୋଷଙ୍କ ମଜବୁତ ଜନାଧାର ରହିଛି । ବିଶେଷ କରି ପୁର୍ନିଆ, କିଶନଗଞ୍ଜ ଓ ଅରରିଆରେ ତାଙ୍କର ସମର୍ଥକଙ୍କ ସଂଖ୍ୟା ବହୁତ ଅଧିକ । ସେ ଜେଡିୟୁ ଛାଡିବା ପରେ ସୀମାଞ୍ଚଳରେ ଜେଡିୟୁ ଦୁର୍ବଳ ହେବ । ସେପଟେ ସନ୍ତୋଷ ଯଦି ଆରଜେଡିରେ ଯୋଗ ଦେଉଛନ୍ତି ତେବେ ଆରଜେଡି ମଜବୁତ ହେବ ।
କେବଳ ସନ୍ତୋଷ ନୁହେଁ ଗୁରୁବାର ଦିନ ଜେଡିୟୁର ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣେଶ୍ୱର ରାୟ ଜେଡିୟୁରୁ ଇସ୍ତଫା ଦେଇ ଆରଜେଡିରେ ସାମିଲ ହୋଇଛନ୍ତି । ଜେଡିୟୁ ଛାଡିବା ପରେ ସେ ଜେଡିୟୁ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ କି, ଯେଉଁ ଉର୍ଦ୍ଦେଶ୍ୟରେ ଜେଡିୟୁ ଗଠନ ହୋଇଥିଲା ଆଜି ସେ ଉର୍ଦ୍ଦେଶ୍ୟ ଠାରୁ ଦଳ ଦୂରକୁ ଦୂରକୁ ଯାଉଛି । ଦଳ ଏବେ ବିଜେପି ସାହାରାରେ କେବଳ ବଞ୍ଚି ରହିଛି ।