କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ଜଗନ୍ନାଥ ଦାସଙ୍କ ମଠ । ଅଧୁରା ରହିଗଲା ଅତିବଡ଼ୀଙ୍କ ସାଧନା ପୀଠର ରୁପେଲି ପରିକଳ୍ପନା । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସ । ଅତିବଡ଼ୀଙ୍କ ସାଧନା ପୀଠ ସାତଲହଡ଼ି ମଠ । ପୁରୀ ସ୍ୱର୍ଗଦ୍ୱାର ନିକଟରେ ସ୍ଥିତ ସାତଲହଡ଼ି ମଠରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ପୂର୍ଣ୍ଣାଙ୍ଗ ନୋହିଲା । ମଠରେ ଉନ୍ନତୀକରଣ ଅଧପନ୍ତରିଆ ହୋଇପଡ଼ିଛି । ହୋଇପାରିଲାନି ଭାଗବତ ଆଲୋଚନା କେନ୍ଦ୍ର, ସ୍ୱପ୍ନରେ ରହିଗଲା ପ୍ରତ୍ୟହ ଭାଗବତ ଆଲୋଚନା ଓ ପଠନ । କବ୍‌ଜା କରିନେଲେଣି ମଠ ସମ୍ପତ୍ତି । ମଠ ଜାଗାରେ ହୋଇଛି ସରକାରୀ ଅଫିସ । ସୁରକ୍ଷା ଦେବାକୁ ନାହିଁ ସ୍ମୃତି କମିଟି । ନାଁକୁ ମାତ୍ର ଅଛି କମିଟି, କାମ କରୁନି କି ସୁରକ୍ଷା ଦେଉନି ।

Advertisment

ଅତିବଡ଼ୀଙ୍କ ସମାଧି ପୀଠ ସାତଲହଡ଼ି ମଠ । ଜବରଦଖଲକାରୀଙ୍କ କବ୍‌ଜାରେ ସାତଲହଡ଼ି ମଠ । ମଠ ଉପରେ ଲୋଲୁପ ଦୃଷ୍ଟି । ସାତଲହଡ଼ିରେ ସରକାରୀ ଅଫିସ । ଭାଙ୍ଗିଲାଣି ଅଧଗଢ଼ା ପ୍ରକଳ୍ପ । ମଠକୁ ଦଖଲ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ନିଜେ ଦଖଲ କଲେ । ମଠ ଭିତରେ ଆର୍‌ଆଇ କାର୍ଯ୍ୟାଳୟ ସ୍ଥାପିତ । ଅଧୁରା ରହିଗଲା ମଠର ଉନ୍ନତୀକରଣ ।

ଅତିବଡ଼ୀଙ୍କର ଶେଷ ସାଧନା ପୀଠ ସାତଲହଡ଼ି । ଜଗନ୍ନାଥ ଦାସଙ୍କ ସମାଧି ପୀଠ ଭାବେ ପରିଚିତ । ମଠ ସୁରକ୍ଷା ପାଇଁ ୧୯୯୬ରେ ଗଠନ ହୋଇଥିଲା କମିଟି । ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି ରକ୍ଷା କମିଟି ଗଠିତ । ପୁରୀ ଜିଲ୍ଲାପାଳ ଅଛନ୍ତି ଅଧ୍ୟକ୍ଷ, ଅଥଚ ସ୍ଥାଣୁ ପାଲଟିଛି କମିଟି । ଅଚଳ ହୋଇଛି ଅତିବଡ଼ୀ ସ୍ମୃତିରକ୍ଷା କମିଟି । ସୁରକ୍ଷା ଦେଉନି କି ଜବରଦଖଲ ହଟାଉନି । ନା କମିଟି ଗଠନ ହେଉଛି, ନା ବୈଠକ ବସୁଛି । ୬ ବର୍ଷ ହେଲା ବୈଠକ ବସିନାହିଁ । ୨୦୧୯ ସେପ୍ଟେମ୍ବରରେ ଶେଷ ଥର ବସିଥିଲା ବୈଠକ ।

ମହାପୁରୁଷଙ୍କ ସ୍ମୃତି ପାଇଁ ପ୍ରସାରିତ ହୋଇଥିଲା ସାତଲହଡ଼ି । ପ୍ରାୟ ୭ ଏକର ଜମିକୁ ପରିବ୍ୟାପ୍ତ ହୋଇଥିଲା ମଠ । ଏବେ ସଙ୍କୁଚିତ ହୋଇ ୩ ଏକରରେ ପହଞ୍ଚିଛି । ମହାପୁରୁଷଙ୍କ ସ୍ମୃତିସ୍ଥଳ ଉପରେ ଲୋଲୁପଦୃଷ୍ଟି । ବିପଣି ଶାଳାରେ ପରିଣତ କରିବା ଲାଗି ଚାପ । ୨୦୦୯ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । ନଜରକୁ ଆଣିଥିଲେ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର । ସରକାର ବି ବିକାଶ ଲାଗି ଉଦ୍ୟମ ଆରମ୍ଭ କରିଥିଲେ । ସାତଲହଡ଼ି ମଠକୁ ଆକର୍ଷଣୀୟ କରିବା ପାଇଁ ହୋଇଥିଲା ବ୍ଲ୍ୟୁ-ପ୍ରିଣ୍ଟ । ୨୦୧୫ରେ ଅର୍ଥ ମଞ୍ଜୁର ପରେ କାମ ବି ଆରମ୍ଭ କରିଥିଲା ତତ୍କାଳୀନ ସରକାର । ପ୍ରାର୍ଥନା କକ୍ଷ ସହ ୧୨ଟି କୁଞ୍ଜ ବା ପିଣ୍ଡି ନିର୍ମାଣ ହେଲା । ଅଥଚ ଅଧପନ୍ତରିଆ ରହିଗଲା ସବୁ ଯୋଜନା । ସ୍ବପ୍ନରେ ରହିଗଲା ଅତିବଡ଼ୀଙ୍କ ଜୀବନଧାରା ବର୍ଣ୍ଣନା ପରିକଳ୍ପନା । ପ୍ରକଳ୍ପ ନିର୍ମାଣକୁ ୧୦ ବର୍ଷ ବିତିଲାଣି । ସେମିତି ଅଧଗଢ଼ା ଅବସ୍ଥାରେ ରହିଛି ମଠ ।