କନକ ବ୍ୟୁରୋ : ଏବେ ବି ଦଳ ଭର୍ତ୍ତି ଐତିହାସିକ ମୂଷା ନଈ । ୨୦୧୫ ରୁ ଆରମ୍ଭ ହୋଇ ୧୦ ବର୍ଷ ଭିତରେ ସରିଲାନି ଦଳକଢ଼ା କାର୍ଯ୍ୟ । ସେପଟେ ସୋନ୍ଦର୍ଯ୍ୟକରଣ କାମ ଆରମ୍ଭର ୪ ବର୍ଷ ପରେ ବି ସରିନି ୫୦ ପ୍ରତିଶତ କାମ । ୪ ବର୍ଷ ତଳେ ୧୦୭ କୋଟିର ପ୍ୟାକେଜ ଘୋଷଣା ପରେ ବି ପ୍ରକଳ୍ପ ଶେଷ ହେବା ନେଇ ଦେଖାଦେଇଛି ଅନିଶ୍ଚିତତା । ସେପଟେ ଜବରଦଖଲର ଭୂସ୍ବର୍ଗ ପାଲଟିଛି ମୂଷା ନଈ।ନଈ ମଝିରେ ଠିଆ ହେଲାଣି ମାଳ ମାଳ କୋଠା ।
ଐତିହ୍ୟ ସଂପନ୍ନ ଅଠରନଳା ତଳେ ରହିଛି ମୂଷା ନଈ । ହୁଳୁହୁଳିଆ ସେତୁଠାରୁ ମଙ୍ଗଳାଘାଟ ପର୍ଯ୍ୟନ୍ତ ଲମ୍ବିଥିବା ଏହି ନଈର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ରଖିଛନ୍ତ ସରକାର । ଅତୀତରେ ଏହି ନଦୀ ହିଁ ପୁରୀକୁ ଯୋଗାଯୋଗର ମାଧ୍ୟମ ଥିଲା । ମୂଷା ନଈର ଜଳପ୍ରବାହରେ ଡଙ୍ଗାରେ ଆସି ଅଠରନଳାଠାରେ ପହଞ୍ଚିବା ପରେ ପୁରୀରେ ପ୍ରବେଶ କରି ପାରୁଥିଲେ ଲୋକେ। ଅଠରନଳାକୁ ଐତିହ୍ୟ କୀର୍ତ୍ତିରାଜିର ମାନ୍ୟତା ମିଳିବା ପରେ ୧୯୯୩ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇ ଆସୁଛି । ହେଲେ ଏବେ ଗୁମୁରି କାନ୍ଦୁଛି ୭ଶହ ବର୍ଷ ତଳର ଐତିହ୍ୟ ମୁଷା ନଈ । ଏହି ଅଞ୍ଚଳର ବିକାଶ ନିମନ୍ତେ ତତ୍କାଳୀନ ବିଜେଡି ସରକାର କରିଥିବା ବ୍ୟବସ୍ଥା ମୂଲ୍ୟହୀନ ହୋଇଛି। ମୂଷା ନଦୀରେ ଆବର୍ଜନା ଭାସୁଛି । କଟକି ଦଳ ଓ ପୋକ ସାଲୁବାଲୁ ପାଣି ଅଞ୍ଚଳରେ ରୋଗ ବ୍ୟାପୀବାର କାରଣ ହୋଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦାବି ଜୋର୍ ଧରିଛି ।
ଐତିହାସିକ ମୂଷା ନଈର ସୌନ୍ଦର୍ଯ୍ୟକରଣ ହେବ,ଅବଢ଼ା ଯୋଜନାରେ ଏହାର ପୂର୍ଣ୍ଣ ବିକାଶ କରାଯିବ । ନୌବିହାର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯିବ । ୪ ବର୍ଷ ତଳେ ଏହି ସ୍ବପ୍ନ ଦେଖାଇଥିଲେ ତତ୍କାଳୀନ ରାଜ୍ୟ ସରକାର । ସେହି ଅନୁଯାୟୀ ପ୍ରାୟ ୧୦୭ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହେଲା ଓ ଟେଣ୍ଡର ବି ହେଲା । ଠିକା ସଂସ୍ଥା ଏ ଭିତରେ କାମ ଆରମ୍ଭ କଲେ କିନ୍ତୁ ପ୍ରକଳ୍ପ କାମରେ ମନ୍ଥରତା କାରଣରୁ ପ୍ରକଳ୍ପ ଶେଷ ହେବାରେ ଅନିଶ୍ଚିତତା ଦେଖାଦେଇଛି ।
ଏବେ ବି ଏହି ଐତିହାସିକ ନଈ ଦଳରେ ଭର୍ତ୍ତି ରହିଛି । ଅନାବନା ଗଛ ସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚରିଗଲାଣି । ସେପଟେ ନଈ ମଝିରେ ଯେଉଁ ଜବରଦଖଲ ଥିଲା ତାହା ଆଜି ପର୍ଯ୍ୟନ୍ତ ହଟିପାରିନି । ଜମି ସମ୍ପୁର୍ଣ୍ଣ ଅଧିଗ୍ରହଣ ହୋଇନଥିବା ବେଳେ ଜମି ଅଧିଗ୍ରହଣ ହୋଇ କାମ ହୋଇଥିବା ରାସ୍ତା ଏବେ ପୁଣି ନଷ୍ଟ ହେଲାଣି ତେଣୁ ପ୍ରକଳ୍ପର ଶେଷ ନେଇ ଅନିଶ୍ଚିତତା ଦେଖାଦେଇଛି । ହେଲେ ଓବିସିସି ପକ୍ଷରୁ ଏହି କାର୍ଯ୍ୟ ତ୍ୱରିତ ବେଗରେ ଆରମ୍ଭ ହେବ । ସେପଟେ ଏହି କାର୍ଯ୍ୟ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଯାହା ଆବଶ୍ୟକ ସେଗୁଡିକ କରାଯିବ ସହ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଐତିହ୍ୟ ସୁରକ୍ଷା ଏବେ ନୂଆ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜିଂ ହୋଇଥିବା ବେଳେ ଅବହେଳିତ ଏହି ଐତିହ ପାଇଁ କଣ ପଦକ୍ଷେପ ନେବେ ସରକାର ତାହା ଉପରେ ସମସ୍ତଙ୍କ ନଜର । ସେପଟେ ନଦୀନାଳ ମାଡ଼ି ବସିଲେଣି ଜମି ମାଫିଆ ।