କନକ ବ୍ୟୁରୋ: ପୁରୀ ରଥଯାତ୍ରା ବେଳେ ଦଳାଚକଟା ପ୍ରସଙ୍ଗ। ଆଜିଠୁ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିସନର । ରଥଯାତ୍ରା ପରଦିନ ରାତିରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ । ଆଜି ଓ ଆସନ୍ତାକାଲି ଦୁଇଦିନ ସାଧାରଣ ଲୋକେ ଉନ୍ନୟନ କମିସନରଙ୍କୁ ଭେଟି ଏ ସମ୍ପର୍କରେ ତଥ୍ୟ ରଖିପାରିବେ । ଆଜି ଅପରାହ୍ନ ୩ଟା ପରଠୁ ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥି ଭବନରେ ଭେଟିପାରିବେ ବୋଲି ସୂଚନା ମିଳିଛି ।
ସେହିପରି ଆସନ୍ତାକାଲି ପୁରୀ ସ୍ପେଶାଲ ସର୍କିଟ ହାଉସରେ ସାକ୍ଷାତ କରି ତଥ୍ୟ ଏବଂ ଯଦି କିଛି ଦଳାଚକଟା ସମୟର ଫୁଟେଜ୍ ଥାଏ, ତେବେ ଦେଇପାରିବେ । କେଉଁ ପରିସ୍ଥିତିରେ ଦଳାଚକଟା ଘଟଣା ଘଟିଲା, ସେ ସମ୍ପର୍କରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଭିଡିଓ ଥାଏ, ସେମାନେ ଇମେଲ୍ ଯୋଗେ ଦେବାକୁ ପୂର୍ବରୁ ଉନ୍ନୟନ କମିସନର କହିସାରିଛନ୍ତି । ଏପଟେ, ନୀଳାଦ୍ରି ବିଜେ ପରେ ଆଜିଠାରୁ ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହେଲେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ବିଭ୍ରାଟ ଅଭିଯୋଗ ହୋଇଛି । ଗଳାବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପଶିଗଲେ କିଛି ଯୁବକ । ସୁରକ୍ଷା ବିଭ୍ରାଟର ସାଂଘାତିକ ତ୍ରୁଟିର ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ବଢିଲା ଚର୍ଚ୍ଚା । ଦକ୍ଷିଣ ଦ୍ବାର ନିକଟରେ ଥିବା ଅଳିଆ ଗଦାରେ ଚଢ଼ି ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିର ଭିତରକୁ ପଶି ଯାଇଛନ୍ତି କିଛି ଯୁବକ, ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।
ଭାଇରାଲ ହେଉଥିବା ଏହି ହିଁ ସ୍ପଷ୍ଟ କରୁଛି ଶ୍ରୀମନ୍ଦିର ସୁରକ୍ଷାରେ କେତେ ବଡ଼ ତ୍ରୁଟି ହୋଇଛି । ଚାରିଦ୍ବାର ପଟେ ପ୍ରବେଶ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ବି କିଭଳି ନିୟମକୁ ଫୁ କରି ଗଳାବାଟ ଦେଇ ଲୋକ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଯଦି ଗଳାବାଟେ ଏଭଳି ଲୋକ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି, ସେମାନଙ୍କ ନିକଟରେ ମୋବାଇଲ ଫୋନ୍ ବି ନିଶ୍ଚିତ ଥାଇପାରେ ବୋଲି ଅନୁମାନ କରାଯାଉଛି । କଥାହେଲା, ରଥଯାତ୍ରା ଦିନରୁ ଯେଉଁପରି ଗୋଟିଏ ପରେ ଗୋଟିଏ ବିଭ୍ରାଟର କଥା ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ହେଲେ ଏହାରି ଭିତରେ ଶ୍ରୀମନ୍ଦିର ଭିତରକୁ ଏମିତି ମନଇଚ୍ଛା ପଶିଯାଉଥିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସୁରକ୍ଷାକୁ ନେଇ ବଡ଼ପ୍ରଶ୍ନ ଉଠିଲାଣି ।