କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ଉଠିଲାଣି ପ୍ରଶ୍ନ । ଆଗକୁ ଆସୁଛି ପାର୍ବଣ ସହ କାର୍ତ୍ତିକ ମାସ । ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ଅଦ୍ୟାବଧି ହୋଇପାରିଲା ନାହିଁ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ। କିନ୍ତୁ ଜାନୁଆରିରୁ ଅଗଷ୍ଟ ସରିବାକୁ ବସିଲାଣି, ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଆରମ୍ଭ ହୋଇଥିଲା ପ୍ରୟାସ । ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ। ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ କିଛି ଆଇନଗତ ସମସ୍ୟା ଯୋଗୁଁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ସେପ୍ଟେମ୍ବର ୧୫ ସୁଦ୍ଧା ଧାଡ଼ି ଦର୍ଶନ !
ଜଗମୋହନ ହେବ ଶୀତତାପ ନିୟନ୍ତ୍ରିତ
ତେବେ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସମସ୍ୟା ହେଉଛି
-ଧାଡ଼ି ଦର୍ଶନ ପାଇଁ ଜଗମୋହନରେ ଥିବା ହୁଣ୍ଡିର ସ୍ଥାନାନ୍ତର ଦରକାର
-ଏଥିଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ କରିବ
-ସରକାର ତଥା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ
-ପରିଚାଳନା କମିଟି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି
-ଖୁବ୍ଶୀଘ୍ର ପରିଚାଳନା କମିଟି ଘୋଷଣା ହେବ
-କମିଟିର ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହୋଇ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ
- ସେପ୍ଟେମ୍ୱର ୧୫ ସୁଦ୍ଧା ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇପାରେ
ଏହାଛଡା ଜଗମୋହନକୁ ଶୀତତାପ ନିୟନ୍ତ୍ରିତ କରାଯିବ । ତେବେ ବର୍ତ୍ତମାନ ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ସମସ୍ତଙ୍କ ଅପେକ୍ଷା ଶ୍ରୀମନ୍ଦିର ପରିଚାଳନା କମିଟି ଗଠନକୁ । ଏହା ପରେ ହିଁ ଧାଡି ଦର୍ଶନ ବ୍ୟବସ୍ଥା ହୋଇପାରିବ ଓ ଠାକୁରଙ୍କ ଅଳଙ୍କାରର ଗଣତିମଣତି ହେବ । ଏହାର ଡକ୍ୟୁମେଣ୍ଟସନ ବି କରିବେ ସରକାର ।