କନକ ବ୍ୟୁରୋ : ଅପେକ୍ଷାର ହେବ ଅନ୍ତ । ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍ ଦର୍ଶନ ବ୍ୟବସ୍ଥା । ୩ ହଜାର ଟିକେଟ୍ର ବନ୍ଦୋବସ୍ତ । ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ । ଭକ୍ତମାନେ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ । ଦିନ ୧୨ରେ ହେବ ନେତ୍ରୋତ୍ସବ । ତେବେ ଗତବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ସେହିପରି ଆଜି ସରିବ ରଥ କାର୍ଯ୍ୟ । କାଲି ଅପରାହ୍ନ ୪ଟାରେ ୧୦ରେ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାରରେ ପହଞ୍ଚି ୩ ରଥ ।
ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ୩୬୫ଟି ଅତିରିକ୍ତ ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ । ଚଳିତ ଥର ରେଳ ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ପାଇଁ AI, FRS ଓ ATVM ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଫେସ୍ ରିଡିଂ ସିଷ୍ଟମ, ଆଣ୍ଟି କ୍ରାଇମ୍ ୟୁନିଟ୍ ସହ ୨୫୦ ସିସିଟିଭି ମାଧ୍ୟମରେ ସୁରକ୍ଷା ଯାଞ୍ଚ କରାଯିବ । ଦମକଳ ଓ ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିବ ୨୪ ଘଣ୍ଟିଆ ଡାକ୍ତରୀ ସେବା । ଏହାଛଡ଼ା ରଥଟଣାକୁ ନେଇ ଚୂଡ଼ାନ୍ତ ମକଡ୍ରିଲ କରିଛି ପୋଲିସ୍ । ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।
ରଥଯାତ୍ରା ପାଇଁ କାଲିଠୁ ଲାଗୁ ହେବ ଟ୍ରାଫିକ ନୀୟମାବଳି । ବ୍ରହ୍ମଗିରି, କୋଣାର୍କ ଓ ଭୁବନେଶ୍ୱର ପଟୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ପାର୍କିଂର ବ୍ୟବସ୍ଥା ହୋଇଛି । CHATBOT ଆପ୍ ମାଧ୍ୟମରେ ଏହାର ସୂଚନା ପାଇପାରିବେ ଶ୍ରଦ୍ଧାଳୁ ।