ପୁରୀରେ ଶୋଷଣର ଶିକାର ହେଉଛନ୍ତି ପର୍ଯ୍ୟଟକ, ଶତାଧିକ ‘ଟ୍ରାଭେଲ୍‌ ଏଜେନ୍‌ସି’ ଉପରେ ଚଢ଼ଉ

ପୁରୀ ସହରରେ ପ୍ରଥମ ଥର ପାଇଁ ଶତାଧିକ ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରି ପୁଲିସ ପ୍ରାୟ ୬୩ରୁ ଅଧିକ ଟ୍ରାଭେଲ୍‌ସ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀମାନଙ୍କୁ ଉଠାଇ ନେଇଥିଲା । ଟୁର୍‌ ଅପରେଟରଙ୍କ ପର୍ଯ୍ୟଟନ ବିଭାଗର ଲାଇସେନ୍ସ ରେଜିଷ୍ଟ୍ରେସନ ଆଦି କାଗଜପତ୍ର ସମସ୍ତ ଯାଞ୍ଚ କରାଯାଇଥିଲା ।

Puri Tourist

କନକ ବ୍ୟୁରୋ: ବିଶ୍ୱ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ନଗରୀ ପୁରୀକୁ ଦେଶ ବିଦେଶରୁ ଆସୁଥିବା ଭକ୍ତ ପର୍ଯ୍ୟଟକମାନେ ଟୁର୍‌ ଅପରେଟରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏପରିକି ଅନେକ ଟୁର୍‌ ଅପରେଟରଙ୍କ ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଗୋଟିଏ ଲେଖାଏଁ କ୍ୟାବିନ୍‌ ପକାଇ ପର୍ଯ୍ୟଟକମାନଙ୍କୁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଶୋଇ ରହିଥିବା ପୁରୀ ପୁଲିସର ଆଜି ନିଦ ଭାଙ୍ଗିଛି । ଆଜି ପୂର୍ବାହ୍ନରେ ପୁରୀ ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ହେବା ପରେ ପୁଲିସ ଅଧିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପରିଚାଳନାରେ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଅଫିସର ଓ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ପୁରୀ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଟ୍ରାଭେଲ୍‌ ଏଜେନ୍ସିର ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରିଥିଲେ।
 
ପୁରୀ ସହରରେ ପ୍ରଥମ ଥର ପାଇଁ ଶତାଧିକ ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରି ପୁଲିସ ପ୍ରାୟ ୬୩ରୁ ଅଧିକ ଟ୍ରାଭେଲ୍‌ସ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀମାନଙ୍କୁ ଉଠାଇ ନେଇଥିଲା । ଟାଉନ ଥାନା ୭ ଜଣଙ୍କୁ, କୁମ୍ଭାରପଡ଼ା ଥାନା ୯ ଜଣଙ୍କୁ, ସମୁଦ୍ରକୂଳ ଥାନା ୩୧ ଜଣ ଓ ବଳିଆପଣ୍ଡା ଥାନା ପୁଲିସ ୧୬ ଜଣ ଟୁର୍‌ ଅପରେଟରଙ୍କୁ ଅଟକ ରଖି ସେମାନଙ୍କ କାଗଜପତ୍ର ଯାଞ୍ଚ କରିଥିଲା । ବିଶେଷ କରି ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତିପତ୍ର, ପୌରସଂସ୍ଥାର ଟ୍ରେଡ୍‌ ଲାଇସେନ୍ସ, ଜିଏସ୍‌ଟି ରେଜିଷ୍ଟ୍ରେସନ ଓ ପର୍ଯ୍ୟଟନ ବିଭାଗର ଲାଇସେନ୍ସ ରେଜିଷ୍ଟ୍ରେସନ ଆଦି କାଗଜପତ୍ର ସମସ୍ତ ଟୁର୍‌ ଅପରେଟରଙ୍କ ଯାଞ୍ଚ କରାଯାଇଥିଲା । ଅଧିକାଂଶ ବ୍ୟବସାୟୀ ଓ କର୍ମଚାରୀଙ୍କଠାରୁ ସେମାନଙ୍କ ଏଜେନ୍ସିର ଆବଶ୍ୟକୀୟ କାଗଜପତ୍ର ମିଳିନଥିଲା । ବିନା କାଗଜପତ୍ରରେ ପୁରୀରେ ଛତୁ ଫୁଟିବା ଭଳି ଟ୍ରାଭେଲ୍‌ ଏଜେନ୍ସି ଖୋଲି ବ୍ୟବସାୟୀମାନେ ପର୍ଯ୍ୟଟକମାନଙ୍କୁ ଶୋଷଣ କରୁଥିବାର ପ୍ରମାଣ ମିଳିଛି । ଅଧିକାଂଶ ଟୁର୍‌ ଅପରେଟରଙ୍କ କୌଣସି ଗାଡ଼ି ନଥିବା ବେଳେ ରେଜିଷ୍ଟ୍ରେସନ ନାହିଁ କି ଟ୍ରେଡ୍‌ ଲାଇସେନ୍ସ ନାହିଁ । 

ଏପରିକି ଯାଞ୍ଚ ସମୟରେ ସେମାନେ ଜିଏସ୍‌ଟି ଠକେଇ କରୁଥିବା ମଧ୍ୟ ଜଣାପଡ଼ିଥିଲା । ଅନେକ ଟୁର୍‌ ଅପରେଟରଙ୍କ ବୁକିଂ କାଉଣ୍ଟର ଖୋଲି ସାଇନ୍‌ବୋର୍ଡ ଲଗାଇ ବ୍ୟବସାୟ କରୁଥିବା ବେଳେ ପୁଲିସ ସେମାନଙ୍କ ବୋର୍ଡ଼କୁ ଭାଙ୍ଗିବା ସହ ଜବତ କରିଥିଲା । ଏହାକୁ ନେଇ ଟୁର୍‌ ଅପରେଟର୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦୀର୍ଘ ସମୟ ଧରି ଏହି ଟୁର୍‌ ଅପରେଟରମାନଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା । ଜଣେ ଟୁର୍‌ ଅପରେଟର କହିଛନ୍ତି, ଆମେମାନେ ଅପରାଧୀ ନୋହୁ । ପୁଲିସ କିପରି ଆମମାନଙ୍କୁ କାଉଣ୍ଟର୍‌ରୁ ଉଠାଇନେଇ ଭ୍ୟାନ୍‌ରେ ଜବରଦସ୍ତ ନେଇଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ପୁଲିସ ଏହି ଟୁର୍‌ ଅପରେଟରମାନଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାଡ଼ିଥିବା ଜଣାପଡ଼ିଛି । ଆଗାମୀ ଦିନରେ ସମସ୍ତ ପ୍ରକାର ସରକାରୀ କାଗଜପତ୍ର ପ୍ରସ୍ତୁତ କରି ଥାନାରେ ଜମା ଦେବା ପରେ ହିଁ ବୁକିଂ କାଉଣ୍ଟର ଖୋଲି ପାରିବେ ବୋଲି ସିଟି ଡିଏସ୍‌ପି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe