କନକ ବ୍ୟୁରୋ: କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ ଶ୍ରୀମନ୍ଦିରରେ ବେନାମୀ ଘିଅ ବ୍ୟବହାର କରୁଛନ୍ତି ସେବାୟତ । ତେବେ ତିରୁପତି ଘଟଣା ପରେ ଶ୍ରୀମନ୍ଦିର ଘିଅ ଯାଞ୍ଚ ଦାବି ଉଠିବାରୁ ୭ ବର୍ଷ ତଳର ନିଷ୍ପତ୍ତିକୁ ପୂର୍ଣ୍ଣ କାର୍ଯ୍ୟକାରୀ ଶ୍ରୀମନ୍ଦିର ପ୍ରଶାସନ ତାଗିଦ୍ କରିଛନ୍ତି ।
- ଶ୍ରୀମନ୍ଦିର ପାଇଁ ଡିପୋ କରିବ ଓମଫେଡ୍
- ବନ୍ଦ ହେବ ବେନାମୀ ଘିଅର ବ୍ୟବହାର
ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲାଯିବା ସହ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଘିଅର ଦର କମାଇବାକୁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରକୁ ଓମଫେଡ ଛଡା ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି ।
ତେବେ ଓମଫେଡର ବିକଳ୍ପ ମଧ୍ୟ ରଖିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ । ସୁଆର ମହାସୁଆର ନିଯୋଗ ମଧ୍ୟ ଏକ ଡାଏରୀ ଫାର୍ମ କରିବାକୁ ଚିଠି ମାଧ୍ୟମରେ ପ୍ରସ୍ତାବ ରଖିଛି ।