କନକବ୍ୟୁରୋ : ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଜାତିଆଣ ଅକ୍ଷେପ କରି ମାଡ଼ ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହେଲେ ଛାତ୍ରୀ ଓ ଅଭିଭାବକ । ଏନେଇ କଣାସ ଥାନାରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ମୌଖିକ ଭାବେ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗୌଡ଼ ପାଟଣା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଖବର ।
ମାଡ଼ ମାରିବା ସହ ଜାତିଆଣ କଥା କହି ଗାଳି କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲିଖିତ ଅଭିଯୋଗ ପରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଣାସ ଥାନା ଅଧିକାରୀ । ସୂଚନା ଅନୁସାରେ ଛାତ୍ରୀଙ୍କୁ ଖାଦ୍ୟ ପରସା ସମାୟରେ ଅଲଗା ବସାଇବା, ଦୁରେଇ ରଖିବା ସହ ଛୁଇଁବା ପାଇଁ ବାରଣ କରାଯାଉଥିବା ଅଭିଯୋଗ ହୋଇଛି ।
ଏନେଇ ଛାତ୍ରୀ ଜଣକ ଘରେ କହିବା ପରେ ଛାତ୍ରୀଙ୍କ ବାପା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ । ଏହାର ଗୋଟିଏ ଦିନ ପରେ ଛାତ୍ରୀ ଜଣକ କାହିଁକି ଘରେ ଏବାବଦରେ ଜଣାଇଲେ ବୋଲି ରାଗରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ଅମାନୁଷିକ ଭାବରେ ବାଡେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଓ ତାଙ୍କ ବାପା । କଣାସ ମେଡିକାଲରେ ଚିକିତ୍ସା କରାଯାଇଛି । ବର୍ତ୍ତମାନ ଛାତ୍ରୀ ଚାଲି ପାରୁନଥିବା ବେଳେ ଦେହ ସାରା ଦାଗ ପଡିଛି । କାହିଁକି ବାଡେଇଲେ ଓ କାହିଁକି ଜାତି ପ୍ରଥା କଥା କହିଥିଲେ ବୋଲି ଛାତ୍ରୀଙ୍କ ବାପା ନ୍ୟାୟ ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ବିଳମ୍ବିତ ରାତିରେ କଣାସ ଥାନାରେ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।