କନକ ବ୍ୟୁରୋ : ଆଗକୁ ରଥଯାତ୍ରା । ଏବେଠାରୁ ପୁରୀର ବିଭିନ୍ନ ହୋଟେଲ ଓ ଲଜ୍‌ରେ ଆରମ୍ଭ ହେଇଗଲାଣି ବୁକିଂ । ରଥଯାତ୍ରାରେ ପୁରୀକୁ ବିପୁଳ ମାତ୍ରାରେ ଶ୍ରଦ୍ଧାଳୁ ଆସିବେ । କିନ୍ତୁ ଜାଣି ଆଶ୍ଟର୍ଯ୍ୟ ହେବେ, ମାଳମାଳ ହୋଟେଲ ଓ ଲଜ୍‌ରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର । ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବି ନାହିଁ ବ୍ୟବସ୍ଥା । ପୂର୍ବରୁ ଅଗ୍ନିଶମ ନିୟମ ପାଳନ ନକଲେ, ନୋଟିସ ହେବ ବୋଲି ଚେତାଇ ଦିଆଯାଇଥିଲା । ହେଲେ ଏସବୁ କେତେଦୂର ପାଳନ ହେଉଛି ତାର ତଦାରଖ କରାଗଲାନି, ଫଳରେ ଢ଼ିଲା ମାରିଲେ ମାଲିକ ।

Advertisment

ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି କରୁଛି ପ୍ରଶାସନ । ଭକ୍ତଙ୍କ ସୁରକ୍ଷା ନେଇ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ । କିନ୍ତୁ ଅଗ୍ନି ନିରାପତ୍ତା କଥା ସତେ ଯେମିତି ଭୁଲି ଯାଇଛି ପ୍ରଶାସନ । ପୁରୀରେ ମାଳମାଳ ହୋଟେଲ, ଲଜ୍‌, ଧର୍ମଶାଳା ଓ ମାର୍କେଟ କମ୍ପ୍ଲେକ୍ସ ରହିଛି । କିନ୍ତୁ ସେଠି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ତା’ର ତଦାରଖ କେହି କରୁନାହାଁନ୍ତି । ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ପୂର୍ବରୁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିବା ପରେ, ପ୍ରଶାସନର ଚେତା ପଶିଥିଲା । ବଡ଼ଦାଣ୍ଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଲଜ୍ ଓ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଘନ ଘନ ଯାଞ୍ଚ କରି ଚେତାବନୀ ଦେଇଥିଲେ ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଟିମ୍‌ । କିନ୍ତୁ ଫଳ ଶୂନ ।

ନିୟମ କହୁଛି, ୫ଶହରୁ ଅଧିକ ବର୍ଗମିଟର କୋଠା ଓ ୧ହଜାରରୁ ଅଧିକ ବର୍ଗମିଟର ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ରହିଛି ଗାଇଡ୍‌ଲାଇନ୍ । ଏହାଛଡ଼ା ହୋଟେଲ ଗୁଡ଼ିକ ନିଜ କୋଠାରେ ସ୍ପ୍ରିଙ୍କଲର ସହ ନିଆଁ ଲିଭାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ଯଦିଓ କିଛି ହୋଟେଲରେ ନିଆଁଲିଭା ସରଞ୍ଜାମ ଅଛି, ହେଲେ ଏହାର ବ୍ୟବହାର କରିବା ଜାଣିନାହାନ୍ତି କର୍ମଚାରୀ । ଅଗ୍ନିଶମ ଅଧିକାରୀଙ୍କ କହିବା କଥା, ହୋଟେଲ ମାଲିକ ସହଯୋଗ କରୁନଥିବାରୁ, ବିଭାଗ ତାଲିମ ଦେଇପାରୁନି ।

ରଥଯାତ୍ରାରେ ପୁରୀ ଆସିବେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ତା’ ପୂର୍ବରୁ ଯଦି ଏସବୁ ସମସ୍ୟା ଉପରେ ଗୁରୁତ୍ୱ ଦିଆନଯିବ, ତାହେଲେ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇନପାରେ ।