କନକ ବ୍ୟୁରୋ: ରାତି ପାହିଲେ ସ୍ଥାନୀୟ ଲୋକ ହୁଅନ୍ତୁ କି ପର୍ଯ୍ୟଟକ । ପୁରୀ ହସ୍ପିଟାଲରେ ଶହ ଶହ ଲୋକଙ୍କ ଭିଡ଼ ଲାଗିଥାଏ । ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ସହରରେ ଥିବା ହସ୍ପିଟାଲର ଚିତ୍ର ଏହି ବିକାଶକୁ ଉପହାସ କରୁଛି । ପ୍ରତିବର୍ଷ ବର୍ଷା ଦିନେ ଏମିତି ଚିତ୍ର ଦେଖିବାକୁ ମିଳେ । ଅସରାଏ ବର୍ଷାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଦୟନୀୟ । ୱାର୍ଡ ଭିତରେ ଚାଲୁଛି ପାଣି । ବେଡ୍ ଉପରେ କେମିତି ବସିଛିନ୍ତି ରୋଗୀ । ଅବସ୍ଥା ଏମିତି ବେଡ ତଳକୁ ଓହ୍ଲାଇବା ବି ମୁସ୍କିଲ । ଯଦି ଅସରାଏ ବର୍ଷାରେ ଏମିତି ଅବସ୍ଥା । ତେବେ ଆଗକୁ ସ୍ଥିତି କ’ଣ ହେବ ? ଗତକାଲି ମୁଖ୍ୟ ଚିକିତ୍ସାଳୟର ମହିଳା ମେଡିସିନ୍ ୱାର୍ଡ ଓ ସର୍ଜରି ୱାର୍ଡରେ ପାଦେ ପାଣି ଜମି ରହିଥିଲା । ସେହି ପାଣିରେ ପଶି ରୋଗୀ ଯାତାୟତ କରୁଥିଲେ । କିନ୍ତୁ ଏହାର ସ୍ଥାୟୀ ପ୍ରତିକାର କେମିତି କରାଯିବ ସେ ନେଇ ଏକଦମ୍ ବେଫକିର ପ୍ରଶାସନ ।
ଅଧିକାଂଶ ସମୟରେ ପୁରୀ ହସ୍ପିଟାଲରେ ୨ଟି ୱାର୍ଡରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବେଡ୍ ନ ମିଳିଲେ ଅଧିକାଂଶ ଦିନ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଏପରି ସ୍ଥିତିରେ ଡାକ୍ତରଖାନାରେ ପାଣି ପଶିଲେ, ରୋଗୀ ସମସ୍ୟା କଣ ହେଉଥିବ ତାହା ଅନୁମାନ କରି ହେଉଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ପୁରୀରେ ପ୍ରବଳ ଗହଳି । ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର ସମ୍ଭାବନା ଥାଏ । ଏଣୁ ତା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବା ନିହାତି ଜରୁରି ପଡିଛି ।
ଅସରାଏ ବର୍ଷାରେ ଯଦି ସ୍ଥିତି ଏଇୟା । ତେବେ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇପାରେ । ତେଣୁ ଏହାର ସ୍ଥାୟୀ ମୁକାବିଲା କେମିତି କରାଯିବ ତାହା ପ୍ରଶାସନ ପାଇଁ ଏକ ବଡ ଆହ୍ବାନ ସୃଷ୍ଟି ରହିବ ।