କନକ ବ୍ୟୁରୋ: କୋଟି ଓଡ଼ିଆଙ୍କ ମହାପ୍ରଭୁ ଜଗନ୍ନାଥ । ଆଉ କିଛି ଦିନ ପରେ ରଥଯାତ୍ରା । ରଥରେ ବିଜେ ହୋଇ ସାରା ବିଶ୍ୱକୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ପଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର । ଆଉ ସଜ୍ଜିତ ପାଇଁ ଲାଗିବାକୁ ଥିବା ସୋଲ ଫୁଲ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗର ଫୁଲ କାରିଗର ।  

Advertisment

ସୋଲ ଫୁଲରେ ସଜେଇ ହେବ ମହାପ୍ରଭୁଙ୍କ ରଥ । ସମ୍ପୂର୍ଣ୍ଣ ନୀତିନିଷ୍ଠ ହୋଇ ଫୁଲ ପ୍ରସ୍ତୁତିରେ ଲାଗିଛନ୍ତି ଗୁରୁଜଙ୍ଗର ଭୋଇ ପରିବାର । ସୋଲରେ କଦମ୍ବ ଓ ସେବତୀ ଫୁଲ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ଅଞ୍ଚଳରୁ ସୋଲ ସଂଗ୍ରହ କରି ଶୁଖାଇ ରଖିଥାନ୍ତି । ଅକ୍ଷୟ ତୃତୀୟାରୁ ରଥ କାମ ଆରମ୍ଭ ହେବାପରେ କାରିଗର ନିଜର ସରଞ୍ଜାମ ପୂଜା କରି ଫୁଲ ପ୍ରସ୍ତୁତି ଆରମ୍ଭ କରନ୍ତି । ରଥ ପ୍ରସ୍ତୁତ ସରିଲେ, ରଥ ଉପରେ ଏହି ଫୁଲକୁ ଲଗାଇଥାନ୍ତି । 

ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି ଗୁରୁଜଙ୍ଗର ଭୋଇ ପରିବାର । ଯେତେ ବାଧା ବିଘ୍ନ ଆସିଲେ ବି ଏମାନେ ପଛାନ୍ତି ନାହିଁ । ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମଣିଥାନ୍ତି । ବଂଶାନୁକ୍ରମିକ ଭାବେ ସୋଲ ଫୁଲ କାରିଗର ଭାବେ ପରିଚିତ ପରିବାର ପୂର୍ବରୁ ବିଭିନ୍ନ ମନ୍ଦିରର ଟାହିଆ ପ୍ରସ୍ତୁତ କରୁଥିଲେ । ୧୯୯୯ରୁ ମହାପ୍ରଭୁଙ୍କ ପାଇଁ ସୋଲ ଫୁଲ ପ୍ରସ୍ତୁତ କରିଆସୁଛନ୍ତି ।