କନକ ବ୍ୟୁରୋ : ଆଜି ୬ଘଂଟା ପୁରୀ ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ଘଂଟିଆ ବନ୍ଦ ପାଳନ କରିବ ବିଜୁ ଜନତା ଦଳ ।  ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡ଼ାକରା ଦେଇଛି ବିଜେଡି । ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଂଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ପୁଲିସ ସେ ଯାଏଁ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା । ଅନ୍ୟପଟେ ପୀଡ଼ିତାଙ୍କ ବାପା ଝିଅ ମାନସିକ ଚିନ୍ତା  ପାଇଁ ଜୀବନ ନେବା କଥା କହିଥିଲେ । ଘଟଣାର ରହସ୍ୟ ଉପରୁ ଏଯାଏଁ ପରଦା ହଟିନଥିବା ବେଳେ ନ୍ୟାୟ ଦାବିରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ବିଗୁଡୁଥିବା ଅଭିଯୋଗ କରିବା ସହ ପୁରୀ ବନ୍ଦ ଡାକରା ଦେଇଚି ଦଳ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେଡି ।