କନକ ବ୍ୟୁରୋ:ପୁରୀ ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ଓରଫ କାଳିଆକୁ କରାଯିବ କୋର୍ଟ ଚାଲାଣ । ଗିରଫ ପରେ ବୁଧବାର ଅଭିଯୁକ୍ତ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ନେଇଥିଲା ପୁଲିସ୍ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି। ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଚାରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ପୁଲିସ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ ସାହୁ, କାଳିଆ ବେହେରା ।
ଯୁକ୍ତ ତିନି ଦ୍ବିତୀୟ ବର୍ଷର ଏହି ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ନିମନ୍ତେ ଯାଇଥିଲେ । ଏହାପରେ ସେମାନେ ନିକଟରେ ଥିବା ସମୁଦ୍ରକୂଳକୁ ଜଙ୍ଗଲ ଦେଇ ଯାଇଥିଲେ । ସେମାନେ ଜଙ୍ଗଲରେ ବସି କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ପହଞ୍ଚି ଉଭୟଙ୍କୁ ବ୍ଲାକ୍ମେଲିଂ କରିଥିଲେ । ଦୈହିକ ସମ୍ପର୍କ ରଖିଛ, ତମ ଘର ଲୋକଙ୍କୁ କହିଦେବୁ ବୋଲି ଧମକ ଓ ଭୟଭୀତ କରାଇ ସେମାନଙ୍କଠାରୁ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହା ପରେ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।