କନକ ବ୍ୟୁରୋ : ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ଖୋଲା ମେଲାରେ ପଡ଼ିଛି ବର୍ଜ୍ୟବସ୍ତୁ । ଏଭଳି ପରିବେଶ ଭିତରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା । ବଳିଆପଣ୍ଡା ଅଞ୍ଚଳରେ ତିନି ବର୍ଷରେ ତିନିଗୁଣା ବଢ଼ିଗଲାଣି ବସ୍ତି । ଆଉ ତାଳ ଦେଇ ବଢ଼ୁଛି ଅଳିଆ ପାହାଡ଼ । ନା ଅଛି କୌଣସି ଆବଦ୍ଧ ପାଚେରି ନା ହେଉଛି ବାୟୋ ମାଇନିଂ । ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶର ଏଠି ହେଉଛି ଖୋଲା ଉଲ୍ଲଂଘନ ।
ଆବର୍ଜନା ପାହାଡ଼ରେ ଅଣନିଃଶ୍ୱାସୀ ଲୋକେ । ପାଖରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ୭ ବର୍ଷ ଧରି ଏଭଳି ପରିବେଶରେ ପାଠ ପଢ଼ିଆସୁଛନ୍ତି କୋମଳମତି ପିଲା, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଶାସନ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଓଲଟି ମ୍ୟୁନିସିପାଲିଟିର ଗାଡ଼ି ଆସି ଏଇଠାରେ ହିଁ ଅଳିଆ ପକାଇ ଯାଉଛନ୍ତି ।
ସରକାରୀ ଉଦାସୀନତା ଯୋଗୁଁ ବର୍ଷ ବର୍ଷ ଧରି ଏଠାରେ ମଧୁର ଜଳ ଭଣ୍ଡାର ନଷ୍ଟ ହେବା ସହ ଭୂତଳ ଜଳ ବି ପ୍ରଦୂଷିତ ହେଉଛି ।