କନକ ବ୍ୟୁରୋ: ସମସ୍ତେ ଭାବିଥିଲେ ବଳଙ୍ଗା ପୀଡ଼ିତା ସୁସ୍ଥ ହୋଇ ଘରକୁ ଫେରିବେ । କିନ୍ତୁ ହଠାତ୍‌ ତାଙ୍କର ଦେହାନ୍ତ ଅନେକ ରହସ୍ୟ ଛାଡ଼ିଯାଇଛି । ପୀଡ଼ିତାଙ୍କ ମୃତ୍ୟୁଠାରୁ ପୁଲିସର ତଦନ୍ତ ସବୁକୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ଆଉ ରାଜନୀତି ବି ଜୋର୍‌ ଧରିଛି ।

Advertisment
  • ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ
  • ପ୍ରଥମରୁ ୩ ଦୁର୍ବୃତ୍ତ, ଶେଷରେ କେହି ନାହିଁ 

ପୁରୀ ବଳଙ୍ଗା ବାୟାବରରେ ନିଆଁରେ ଜଳିଯାଇଥିବା ପୀଡ଼ିତାଙ୍କ ଦେହାନ୍ତ ପରେ ଆଜି କବର ଦିଆଯାଇଛି । ୧୫ ଦିନର ଜୀବନ ମରଣ ସହ ଲଢ଼େଇ ଭିତରେ ହାରିଯାଇଛନ୍ତି ପୀଡ଼ିତା । କିନ୍ତୁ ତାଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । କାରଣ ପୀଡ଼ିତାଙ୍କ ମାଆ ୩ ଜଣ ନିଆଁ ଲଗାଇଥିଲେ ବୋଲି ଦାବି କରିଥିଲେ ।  ପୀଡ଼ିତାଙ୍କ ଚିକିତ୍ସା ଠିକ ଭାବେ ଚାଲିଥିଲା । ତଦନ୍ତ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ହଠାତ୍ ମୃତ୍ୟୁ ଓ ପରେ ପୁଲିସର ସ୍ପଷ୍ଟୀକରଣ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିଛି । ସବୁ କିଛି ସନ୍ଦେହ ଘେରକୁ ଚାଲିଯାଇଛି । ପୁଲିସର ତଦନ୍ତ ଅନୁସାରେ, ଘଟଣାରେ କାହାର ସଂପୃକ୍ତି ନାହିଁ ।

ପ୍ରଶ୍ନ ଉଠୁଛି, ପୀଡ଼ିତା କ’ଣ ନିଜ ଦେହରେ ନିଆଁ ଲଗାଇଦେଇଥିଲେ? ପୁଲିସ ସ୍ପଷ୍ଟୀକରଣ ପାଇଁ କାହିଁକି ୧୫ ଦିନ ଲାଗିଲା? ଘଟଣାସ୍ଥଳରୁ ଜବତ ରୁପା ମୁଦି ଓ ଚୁଡ଼ି କାହାର? କେଉଁ ଆଧାରରେ ପୀଡ଼ିତାଙ୍କ ମା’ ୩ ଜଣ ଦୁର୍ବୃତ୍ତ ତାଙ୍କ ଝିଅକୁ ନେଇ କିରୋସିନି ଢାଳି ନିଆଁ ଲଗାଇଦେଲେ ବୋଲି ଅଭିଯୋଗ ଆଣିଥିଲେ?

  • ବଳଙ୍ଗା ଘଟଣାରେ ତେଜିଲା ରାଜନୀତି
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ
  • ୭ ତାରିଖରେ ପୁରୀରେ ବିଜେଡିର ହରତାଳ 

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଥିବାବେଳେ ରାଜନୀତି କିନ୍ତୁ ଥମୁନାହିଁ । କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଯାଇଥିବାବେଳେ, ଆସନ୍ତା ୭ ତାରିଖରେ ବିଜେଡି ପୁରୀ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବାକୁ ଘୋଷଣା କରିଛି । ତେବେ ପୁଲିସ ତଦନ୍ତ ଉପରେ ବିଜେଡି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତ୍ୟ ସାମ୍ନାକୁ ନ ଆସିଲେ ଆନ୍ଦୋଳନ ଚେତାବନୀ ଦେଇଛି ଦଳ । ନ୍ୟାୟ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ପିସିସି ସଭାପତି କହିଛନ୍ତି, ଘଟଣା ଉପରେ ରଙ୍ଗ ବୋଳାଯାଉଛି । ପୀଡ଼ିତାର ପ୍ରଥମ ବୟାନକୁ କାହିଁକି ଗୁରୁତ୍ବ ଦିଆଯାଉନି? ଜବାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାଙ୍କ ମୃତଦେହ ଉପରେ ରାଜନୀତି କରୁଛନ୍ତି ବିରୋଧୀ ।  ତେବେ ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟିବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।