କନକ ବ୍ୟୁରୋ: ଓଡ଼ିଶା ବାସ୍ତୁକଳାରେ ଝଟକିବ ଶ୍ରୀକ୍ଷେତ୍ର ପୁରୀ । ଅନେକ ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହରକୁ ବିଶ୍ବସ୍ତରୀୟ ଭାବେ ଗଢ଼ି ତୋଳାଯିବ। ବିପଦସଙ୍କୁଳ ତଥା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବା ସହ ନୂତନ ଭିତ୍ତିଭୂମି ନିର୍ମାଣ ସମୟରେ ଓଡ଼ିଶାର ବାସ୍ତୁକଳାକୁ ଉପଯୋଗ କରାଯିବ । ଶ୍ରୀଜଗନ୍ନାଥ କ୍ଷେତ୍ର ଭାବେ ପରିଚିତ ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ ରହିଛି । ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ଏବଂ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହା ଉପରେ ସବିଶେଷ ଆଲୋଚନା କରାଯାଇଛି ।
ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ସହର ସାରା ବିଶ୍ବରେ ପରିଚିତ। ଏହି ସ୍ଥାନକୁ ଆସିବା ପାଇଁ ଅନେକ ରାଜ୍ୟ ତଥା ଦେଶବାସୀଙ୍କ ସ୍ବପ୍ନ ରହି ଆସିଛି । ତେଣୁ ପୁରୀ ସହରକୁ ସବୁ ଦୃଷ୍ଟିରୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସରକରୀ ଓ ସାଧାରଣ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୁରୀ ସହର ତଥା ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ଵରିତ ବେଗରେ ଆଗେଇ ନେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସମୟରେ ଅନେକ ସମସ୍ୟା ଆସିଥାଏ। ତେବେ ଦୃଢ ଇଚ୍ଛାଶକ୍ତି ଓ ସଠିକ ଯୋଜନା ଦ୍ବାରା ସଫଳତା ଆସିଥାଏ । ତେଣୁ ଯୋଜନାବଦ୍ଧ ଭାବେ ପୁରୀ ସହରର ବିକାଶ ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ।