କନକ ବ୍ୟୁରୋ: ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ୍ ସେଲ୍ (ଏସଏସଓ) କାବୁରେ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ।  ଏହି ଗୁପ୍ତଚର ସହ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସାକିର ଓରଫ୍ ଜଟ୍ଟ ରନ୍ଧୱାର ସମ୍ପର୍କ ରହିଛି ଯେ କି ଆତଙ୍କୀ ସଙ୍ଗଠନ ସହ ସମ୍ପର୍କରେ ଥିବା ଏକ ଗୁଇନ୍ଦା ସଙ୍ଗଠନର ସଦସ୍ୟ । ଗିରଫ ଗୁପ୍ତଚର ଜଣେ ୟୁଟ୍ୟୁବର ବୋଲି ଜଣାପଡ଼ିଛି ।

Advertisment

ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ କରିଛି । ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍‌ ବି ଅଛନ୍ତି । ନିକଟରେ ମଧ୍ୟ ପଞ୍ଜାବର ଜଣେ ୟୁଟ୍ୟୁବର୍‌ଙ୍କୁ ଗୁପ୍ତଚର ସନ୍ଦେହରେ ପୁଲିସ୍‌ ଗିରଫ କରିଛି । ପୁଲିସ ଅଧିକାରୀମାନେ କହିଛନ୍ତି , ବୁଧବାର ପଞ୍ଜାବ ପୁଲିସ ୟୁଟ୍ୟୁବର ଯଶବୀର ସିଂଙ୍କୁ ଗିରଫ କରିଛି । ଯଶବୀର "ଜାନ ମହଲ" ନାମକ ଚ୍ୟାନେଲ ଚଳାଉଛନ୍ତି । ତାଙ୍କର ୧.୧ ମିଲିୟନ୍‌ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି  ।

ରୂପନଗର ଜିଲ୍ଲାର ମହଲାନ ଗ୍ରାମର ବାସିନ୍ଦା ଯଶବୀର ସିଂଙ୍କୁ ଗୁପ୍ତଚର ସୂଚନା ଆଧାରରେ ମୋହାଲିର ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍ ଦ୍ୱାରା ହେପାଜତକୁ ନେଇଛି ପୁଲିସ । ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଯଶବୀର ସିଂ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍‌ ଯେ କି ଗୁପ୍ତଚର ଭଳି କାମ କରୁଥିବା ଜଣାପଡ଼ିଛି । ଯଶବୀର ସିଂ ପାକିସ୍ତାନୀ ଗୁପ୍ତଚର ସାକିର ସହିତ ଘନିଷ୍ଠ ସମ୍ପର୍କ ଥିବା ଜଣାପଡ଼ିଛି ।  ସାକିର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥିବା ସୂଚନା ରହିଛି । ଖାଲି ଏତିକି ନୁହେଁ ଗିରଫ ଗୁପ୍ତଚର ଯଶବୀରଙ୍କ ସମ୍ପର୍କ ପାକିସ୍ତାନୀ ହାଇକମିସନ କାର୍ଯ୍ୟାଳୟ ସହ ଥିବା ମଧ୍ୟ କୁହାଯାଉଛି ।