କନକ ବ୍ୟୁରୋ: ରୋମାଞ୍ଚକର ମ୍ୟାଚ୍ରେ ହାରିଲା କୋଲକାତା ନାଇଟ୍ ରାଇଡର୍ସ । ଦଳ ଏକ ଛୋଟ ଟାର୍ଗେଟ୍ ବି ହାସଲ କରିବାରେ ଫେଲ୍ ମାରିଛି । ମଙ୍ଗଳବାର ପଞ୍ଜାବ କିଙ୍ଗସ୍ ଦଳ କୋଲକାତା ନାଇଟ୍ ରାଇଡର୍ସକୁ ୧୬ ରନ୍ରେ ପରାଜିତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ମାତ୍ର ୧୧୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ KKR ଦଳ କେବଳ ୯୫ ରନ୍ ହିଁ କରିପାରିଥିଲା । ସାଧାରଣତଃ, ମୁଲ୍ଲନପୁର ଗ୍ରାଉଣ୍ଡରେ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳେ, ଆଇପିଏଲ୍ର ୩୧ତମ ମ୍ୟାଚ୍ରେ କିନ୍ତୁ ଛୋଟ ଟାର୍ଗେଟ୍ ସତ୍ତ୍ୱେ ପଞ୍ଜାବର ବୋଲିଂ ୟୁନିଟ୍ କୋଲକାତା ବ୍ୟାଟର୍ଙ୍କୁ ସହଜରେ ବ୍ୟାଟିଂ କରିବାକୁ ଦେଇ ନଥିଲେ ।
୧୧୨ ରନର ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ଥିବା KKRକୁ ଏକ ଭଲ ବ୍ୟାଟିଂ ଷ୍ଟାର୍ଟ୍ ମିଳି ପାରିନଥିଲା । ମାତ୍ର ୭ ରନ ଦଳୀୟ ସ୍କୋର୍ ବେଳେ ଦଳ ଉଭୟ ଓପନର୍ଙ୍କ ୱିକେଟ୍ ହରାଇଥିଲା । କ୍ୱିଣ୍ଟନ୍ ଡି କକ୍ ୨ ରନ୍ କରି ଆଉଟ୍ ହୋଇଥିଲେ ଏବଂ ସୁନୀଲ ନାରିନ୍ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଏହି କମ୍ ସ୍କୋରିଂ ମ୍ୟାଚ୍ରେ, ଅଙ୍ଗକ୍ରିଶ୍ ରଘୁବଂଶୀ ଏବଂ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟରେ ୫୫ ରନର ଭାଗୀଦାରି ହୋଇଥିଲା । ଗୋଟିଏ ସମୟରେ ଏହି ଭାଗିଦାରୀ ଦଳକୁ ବିଜୟ ରାସ୍ତା ଦେଖାଇବ ବୋଲି ଅନୁମାନ କରାଯାଉଥିଲା । KKRର ପକ୍ଷରୁ ରଘୁବଂଶୀ ସର୍ବାଧିକ ୩୭ ରନ୍ କରିଥିଲେ । ଅନ୍ୟପକ୍ଷରେ ରାହାଣେ ୧୭ ରନ୍ କରି ଆଉଟ୍ ହୋଇଥିଲେ ।
୧୧୨ ରନ୍ ଟାର୍ଗେଟ୍ର ପିଛା କରୁଥିବା KKR ଏକ ସମୟରେ ୩ ୱିକେଟ୍ ହରାଇ ୭୨ ରନ୍ କରିଥିଲା । ଏହାପରେ, ଅଙ୍ଗକ୍ରିଶ ରଘୁବଂଶୀ ନିଜ ୱିକେଟ ହରାଇଥିଲେ । ଏହାପରେ ଦଳ ମାତ୍ର ୭ ରନ୍ ମଧ୍ୟରେ ୫ ୱିକେଟ ହରାଇଥିଲା। ଏହି ସମୟରେ ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ରମଣଦୀପ ସିଂ ଏବଂ ହର୍ଷିତ ରାଣାଙ୍କ ୱିକେଟ୍ ହ୍ରାସ ପାଇଛି । ଭେଙ୍କଟେଶ ମାତ୍ର ୭ ରନ୍ କରିଥିଲେ ଏବଂ ରିଙ୍କୁ ସିଂହ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ।
KKR ବ୍ୟାଟିଂ କ୍ରମ ଧ୍ୱଂସ କରିବାରେ ପ୍ରମୁଖ ଭୂମିକା ବହନ କରିଥିଲେ ୟୁଜବେନ୍ଦ୍ର ଚହଲ । ସେ ୪ ଓଭରରେ ମାତ୍ର ୨୮ ରନ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଚହଲ ଆଜିଙ୍କ୍ୟ ରାହାଣେ ଏବଂ ବିଶେଷକରି ଅଙ୍ଗକ୍ରିଶ ରଘୁବଂଶୀଙ୍କ ୱିକେଟ୍ ନେଇ ମ୍ୟାଚ୍ କେକେଆର କବଳରୁ ଛଡ଼ାଇ ଆଣିଥିଲେ । ଏହା ବ୍ୟତୀତ ସେ ରିଙ୍କୁ ସିଂହ ଏବଂ ରମନଦୀପ ସିଂହଙ୍କ ୱିକେଟ୍ ମଧ୍ୟ ନେଇଥିଲେ ।
ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫.୩ ଓଭରରେ ୧୧୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ପଞ୍ଜାବ କିଙ୍ଗ୍ସ ଦଳ । ଦଳ ପକ୍ଷରୁ ପ୍ରଭସିମ୍ରନ୍ ସର୍ବାଧିକ ୩୦ ରନ୍ କରିଥିଲେ ଓ ପ୍ରିୟାଂଶ ଆର୍ଯ୍ୟ ୨୨ରନ୍ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ।