କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ପୁନଶ୍ଚ ପୃଥିବୀ ଅଭିଯାନ-୨୦୨୫ ।  ଭୁବନେଶ୍ୱରରେ ତିନି ଦିନ ଧରି ଚାଲିବ ଜଳବାୟୁ ସଂପର୍କୀତ ଆଲୋଚନା  । ତେବେ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପରିବେଶବିତ୍ ମାନେକା ଗାନ୍ଧୀ । ଅକ୍ଟୋବର ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା  କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଦେଶର ପ୍ରଖ୍ୟାତ ପରିବେଶବିତ । ପରିବେଶ ସୁରକ୍ଷା ନେଇ 'କାଲି ପାଇଁ ଆଜି' ପ୍ରସଙ୍ଗରେ କରାଯିବ ଆଲୋଚନା ।  ଦିନକୁ ଦିନ ବିଗୁଡୁଛି ଜଳବାୟୁ ସ୍ଥିତି, ଯାଉଛି ଲକ୍ଷ ଲକ୍ଷ ଜୀବନ। ପରିବର୍ତ୍ତିତ ଜଳବାୟୁର ପରିଣତି ସମସ୍ତେ ଭୋଗୁଛନ୍ତି । ବିଶ୍ବର ବିଭିନ୍ନ କୋଣରେ କେବେ ଭୂସ୍ଖଳନ ପୁଣି କେବେ ସାମୁଦ୍ରିକ ଝଡ଼ ଦେଖିବାକୁ ମିଳୁଛି  ।  

Advertisment

ବର୍ଷା ଦିନେ ଖରା, ଶୀତ ଦିନେ ବର୍ଷାର ଭ୍ରମ ସୃଷ୍ଟି ହେଉଛି । ପାହାଡ଼ିଆ ଅଞ୍ଚଳରେ ବଢ଼ୁଛି ଭୁସ୍ଖଳନ ଭୟ । ବିଶ୍ୱ ଏବେ ଏକ ଅସନ୍ତୁଳିତ ପରିବେଶ ସହ ଜୁଝୁଛି, ଜୀବଜଗତ ସନ୍ତୁଳି ହେଉଛି । ଆଗରୁ ଓଡ଼ିଶାକୁ ବାତ୍ୟା ଭୟ ଥିଲେ, ଏବେ ସେ ତାଲିକାରେ ଯୋଡ଼ି ହୋଇଛି ଭୂସ୍ଖଳନ ଭୟ । ଏହି ପରିବର୍ତ୍ତିତ ପରିସ୍ଥିତିରେ ପରିବେଶ ପାଇଁ କିଛି କରିବାର ସଂକଳ୍ପ ନେଇଛି ସମ୍ୱାଦ ଗ୍ରୁପ୍‌ । ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଏକ ଅଭିଯାନ ଜାରି ରଖିଛି। ଜନସଚେତନତା ପାଇଁ ଅଣ୍ଟା ଭିଡ଼ିଛି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍ । ଜଳବାୟୁ ସୁରକ୍ଷା ପାଇଁ ପ୍ରତିଘରୁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଉଦେଶ୍ୟରେ ୨୦୨୧ରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନର ରୂପାନ୍ତର ଘଟିଛି । ୨୦୨୪ରୁ ପରିବେଶ ସୁରକ୍ଷା ଲାଗି ୧୨ବର୍ଷର ସଂକଳ୍ପ ସହ ନୂଆ ଅଭିଯାନ ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନ ସଂପର୍କିତ ସମସ୍ୟା ଓ ସମାଧାନକୁ ପ୍ରାଥମିକତାରେ ରଖି ଆଗକୁ ବଢ଼ୁଛି ପୁନଶ୍ଚ ପୃଥିବୀ ଅଭିଯାନ ।