କନକ ବ୍ୟୁରୋ: ପରିବେଶ ସୁରକ୍ଷା ପାଇଁ ସମ୍ବାଦ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଛି ପୁନଶ୍ଚ ପୃଥିବୀ ଜାତୀୟ ସ୍ତରୀୟ ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ମାନେକା ଗାନ୍ଧୀ, ଭାରତର ବନ ପୁରୁଷ ପଦ୍ମଶ୍ରୀ ଯାଦବ ପାୟେଙ୍ଗ ସାମିଲ ହୋଇଛନ୍ତି । ପରିବେଶ ସୁରକ୍ଷା କେତେ ଜରୁରୀ ସେ ନେଇ ମତ ରଖିଛନ୍ତି । 

Advertisment

ଅବସର ଥିଲା ପୁନଶ୍ଚ ପୃଥିବୀ ୨୦୨୫ ଜାତୀୟ ସ୍ତରୀୟ ସମ୍ମିଳନୀ । ସାମିଲ ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପଶୁ ପ୍ରେମୀ ମାନେକା ଗାନ୍ଧୀଙ୍କ ସମେତ ଦେଶର ବହୁ ପରିବେଶବିତ୍ । ପ୍ରଥମ ଅଧିବେଶନରେ ସାମିଲ ହୋଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି ମାନେକା ଗାନ୍ଧୀ । ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଅଙ୍ଗାରକାମ୍ଲଠାରୁ ମିଥେନ୍ ୨୮ ଗୁଣା କ୍ଷତିକାରକ କହି ସତର୍କ କରିଛନ୍ତି । ଅଣ୍ଡା ଏବଂ ମାଂସ ଭଳି ଖାଦ୍ୟ ପରିହାର କରି ଶସ୍ୟ ଜାତୀୟ ଏବଂ ପନିପରିବାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଶାକାହାରୀ ଭୋଜନ ଦ୍ବାରା ପରିବେଶର ସୁରକ୍ଷା ସମ୍ଭବ ବୋଲି କହିଛନ୍ତି । ଏହା ସହ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଛନ୍ତି । 

ଭାରତର ବନ ପୁରୁଷ ଭାବେ ପରିଚିତ ଯାଦବ ପାୟେଙ୍ଗ ଯୋଗ ଦେଇ ପ୍ରକୃତିର ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି । କହିଛନ୍ତି, ପ୍ରକୃତି ହିଁ ଭଗବାନ । ପ୍ରକୃତିର ସୁରକ୍ଷା କଲେ ହିଁ ଆମେ ବଞ୍ଚି ପାରିବା । ଏହି କାର୍ଯ୍ୟକ୍ରମରେ ସାମଲ ହୋଇ ପରିବେଶ ସୁରକ୍ଷା ଦିଗରେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ପୁନଶ୍ଚ ପୃଥିବୀ ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ସମ୍ବାଦ ଓ କନକ ନ୍ୟୁଜ୍ ସମ୍ପାଦକ ତନୟା ପଟ୍ଟନାୟକ । 

୨୦୨୪ରୁ ପରିବେଶ ସୁରକ୍ଷା ଲାଗି ୧୨ ବର୍ଷର ସଂକଳ୍ପ ସହ ନୂଆ ଅଭିଯାନ ଆରମ୍ଭ କରିଛି ସମ୍ବାଦ ଗ୍ରୁପ୍ । ଜଳବାୟୁ ପରିବର୍ତ୍ତନ ସଂପର୍କିତ ସମସ୍ୟା ଓ ସମାଧାନକୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି ପୁନଶ୍ଚ ପୃଥିବୀ ଅଭିଯାନ ।