କନକ ବ୍ୟୁରୋ: ଜଳବାୟୁର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଏକ ବହୁତ ବଡ଼ ପ୍ରୟାସ। ଏହି ଅଭିଯାନ ତୃଣମୂଳ ସ୍ତରରୁ ହେବା କଥା। ଗାଁରୁ ସହର ଏବଂ ଓଡ଼ିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଏହି ଅଭିଯାନ ଆଗକୁ ବଢ଼ିବା ଦରକାର। ଏହି କ୍ଷେତ୍ରରେ ଅଧିକର ଅଧିକାଂଶ ଲୋକ ଯୋଡ଼ିହେବା ଦରକାର। ‘ଦ କ୍ଳାଇମ୍ଆକ୍ଟ ଇନାଇଟିଏଟିଭ୍’ର ପ୍ରତିଷ୍ଠାତା ହିତା ଲଖାନୀ ଏହା କହିଛନ୍ତି ।
ସମ୍ବାଦ ଗ୍ରୁପ୍ ପକ୍ଷରୁ ଭୁବନେଶ୍ବରର ହୋଟେଲ ‘ସ୍ବସ୍ତି ପ୍ରିମିୟମ’ରେ ସୋମବାର ଉଦ୍ଘାଟିତ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ସମ୍ମିଳନୀରେ ହିତା ଲଖାନୀ କହିଛନ୍ତି, ସମୟ କ୍ରମେ ପ୍ରତ୍ୟେକ ପିଢ଼ିରେ ଜଳବାୟୁ ପରିବର୍ତ୍ତନ ଦେଖାଯାଉଛି। ତେଣୁ ଜଳବାୟୁର ସୁରକ୍ଷା ପାଇଁ ସମସ୍ତେ ଏଦିଗରେ କାମ କରିବାର ଆବଶ୍ୟକତା ରହିଛି । ପ୍ରଥମେ ଜଳବାୟୁକୁ ସମସ୍ତେ ଭଲ ଭାବେ ବୁଝିବା ଦରକାର।
ଜଳବାୟୁର ସୁରକ୍ଷା ପାଇଁ ପିଲାମାନଙ୍କୁ ସାମିଲ କରାଯାଇପାରିବ। ପିଲାମାନଙ୍କୁ ସୁନ୍ଦର ଗଳ୍ପକଥନ ମାଧ୍ୟମରେ ଜଳବାୟୁ ସଂପର୍କିତ ସୁବାର୍ତ୍ତା ଦିଆଯାଇପାରିବ। ପିଲାମାନଙ୍କୁ ଏହି ଅଭିଯାନରେ ସାମିଲ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କାମ ବିବେଚନା କରାଯାଇ ପାରିବ। ପିଲାମାନଙ୍କୁ ଜଳବାୟୁ ସଂପର୍କିତ ସଚେତନାମୂଳକ ଗପ କୁହାଯିବା ଦରକାର। ଏହା ଦ୍ବାରା ସେମାନେ ଜଳବାୟୁ ବିଷୟରେ ଅଧିକ ଜାଣିବେ ଏବଂ ଏହାର ସୁରକ୍ଷା ପାଇଁ ଆଗ୍ରହୀ ହେବେ ବୋଲି ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀମତୀ ଲଖାନୀ କହିଛନ୍ତି।
ଜଳବାୟୁ କ୍ଷେତ୍ରରେ କାମ କରିବା ପାଇଁ କେମିତି ଆଗ୍ରହୀ ହେଲେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଲଖାନୀ କହିଛନ୍ତି, ଏକଦା ବମ୍ବେରେ ମରିନ ଡ୍ରାଇଭରେ ନଡ଼ିଆ ଗଛ ସଫା କରାଯାଉଥିଲା। ଏହି ସମୟରେ ମୁଁ ସ୍କୁଲରୁ ଫେରୁଥିଲି। ଏହି ଦୃଶ୍ୟ ମୋମନରେ ଅନେକ ପ୍ରଶ୍ନବାଚୀ ଛିଡ଼ା କରିଥିଲା। କିଛି ଦିନ ପର୍ଯ୍ୟନ୍ତ ଏବାବଦରେ ଚିନ୍ତା ମଧ୍ୟ କରିଥିଲି। ଧୀରେଧୀରେ ଜଳବାୟୁ କ୍ଷେତ୍ରରେ କାମ କରିବାକୁ ଆଗ୍ରହ ବଢ଼ିଥିଲା।
ବିକାଶ ପ୍ରସଙ୍ଗରେ ଶ୍ରୀମତୀ ଲଖାନୀ କୁହନ୍ତି, ବିକାଶ ସେହି ସମୟରେ ହେବ, ଯେତେବେଳେ ଜଳବାୟୁ ଉପରେ ମଧ୍ୟ ନଜର ରଖିବା। ସୁଇଜରଲାଣ୍ଡର ଫଟୋ ଯେତେବେଳେ ଆମେ ଦେଖୁ କେବଳ ପାହାଡ଼, ପାଣି ଓ ଗଛ ଦେଖିବାକୁ ମିଳିଥାଏ। ଜଳବାୟୁ ଉପଯୋଗୀ ପରିବେଶ ସେଠାରେ ଦେଖିବାକୁ ମିଳିଥାଏ। ଜଳବାୟୁର ଉନ୍ନତି ବିନା ବିକାଶ ଅସମ୍ଭବ।
ବିଦ୍ୟାଳୟସ୍ତରରେ ଜଳବାୟୁ ଶିକ୍ଷାକୁ ଗୁରୁତ୍ବ ଦେବାର ଅଛି। ଏଥି ପାଇଁ ଉଭୟ ଶିକ୍ଷକ ଓ ପିଲାମାନଙ୍କୁ କାମ କରିବାକୁ ପଡ଼ିବ। ନୂନତ ଶିକ୍ଷା ନୀତି ଅନୁସାରେ ଶିକ୍ଷକମାନଙ୍କୁ ଏବାବଦରେ ଅବଗତ ହେବା ଦରକାର। ସେମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବା ଦରକାର। ପରିବେଶ ବିଜ୍ଞାନ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। କିନ୍ତୁ ଜ୍ଞାନକୁ ପୁସ୍ତକ ସ୍ତରରେ ନରଖି ଏହାକୁ କାର୍ଯ୍ୟରେ ବ୍ୟବହାର ବିନିଯୋଗ କଲେ ଜଳବାୟୁକୁ ସୁରକ୍ଷା କରିବାରେ ସହାୟକ ହୋଇପାରିବ।