କନକ ବ୍ୟୁରୋ: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ । କିନ୍ତୁ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏପରି ଅନୁପ୍ରବେଶକାରୀଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟରେ ବେଆଇନ ଭାବେ ରହିବା ସହିତ ଜାଲ୍‌ କାଗଜପତ୍ର ଜରିଆରେ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ ସମେତ ଅନ୍ୟ ସରକାରୀ ପରିଚୟପତ୍ର ତଞ୍ଚକତା କରି ହାସଲ କରୁଛନ୍ତି।  ଏଭଳି ସ୍ଥିତିରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହଜ ନୁହେଁ । 

Advertisment

ବାଂଲାଦେଶୀ ଅନୁପ୍ରବେଶକରୀମାନେ ଦେଶର ନାଗରିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ।  ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନର ଆବଶ୍ୟକତା ରହିଛି । ଅତୀତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରସଙ୍ଗରେ ସରକାର ଜାରି କରିଥିବା ବିଭିନ୍ନ ସର୍କୁଲାର ଆଧାରରେ ଏ ପର୍ଯ୍ୟନ୍ତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଗୃହ ବିଭାଗ, ପୁଲିସ ବିଭାଗ ପ୍ରତି ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସର୍ଭେ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଆଧାର କାର୍ଡ, ଭୋଟର କାର୍ଡ, ରା‌ସନ କାର୍ଡ ଯାଞ୍ଚ କରାଯାଇ ବାସ୍ତବରେ ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କ କାର୍ଡ ବାତିଲ କରାଯାଉ । ଏଥି ସହିତ କିଭଳି ଭାବେ ଜାଲ୍‌ ପ୍ରମାଣପତ୍ର ଜରିଆରେ ଏପରି କାର୍ଡ ଅନୁପ୍ରବେଶକାରୀ ହାସଲ କରିଥିଲେ ତାହା ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । 

ଅନୁପ୍ରବେଶକରୀଙ୍କ ଚିହ୍ନଟ ବେଳେ ବାଂଲାଦେଶ ହାଇ କମିସନଙ୍କ ସହାୟତା ନିଆଯାଉ । ଚିହ୍ନଟ ପରେ ଅନୁପ୍ରବେଶକାରୀଙ୍କୁ ଡିଟେନସନ୍ ସେଣ୍ଟରରେ ରଖାଯିବା ସହିତ ତୁରନ୍ତ ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ବ୍ୟବସ୍ଥା କରାଯାଉ । ଗୃହ ମନ୍ତ୍ରଣାଳୟର ୨୦୦୯ର ଗାଇଡ୍‌ଲାଇନ୍‌ ପାଳନ କରି ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ମାମଲାରେ ରାଜ୍ୟ ସରକାର, ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିସନର, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।