କନକ ବ୍ୟୁରୋ: ନିଜ ନିର୍ବାଚନ ମଣ୍ଡଳୀକୁ ଜାଣିନଥିଲେ! ନିଜେ ନିଷ୍ପତ୍ତି ନେବାରେ ବି ଅକ୍ଷମ ଥିଲେ । ନିଜ ସମର୍ଥକଙ୍କୁ ହାତ ମିଳାଇବାକୁ ପସନ୍ଦ କରୁନଥିଲେ । ଏକଥା ଆମେ କହୁନୁ, ବରଂ ବୁଲେଇ ବଙ୍କେଇ, ନବୀନ ପଟ୍ଟନାୟକଙ୍କ ନାଁ ନ ନେଇ ଏଭଳି କିଛି କଥା ନିଜ ବହିରେ ଲେଖିଛନ୍ତି ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର । ନବୀନ ନିଜ ନିଷ୍ପତ୍ତି ନିଜେ ନେବାରେ ଅକ୍ଷମ ଥିଲେ । ଏମିତି କି ରାଜ୍ୟରେ ଭଲ ମୌସୁମୀ ବର୍ଷା ହେଇଛିର ଅର୍ଥ ବୁଝିବାକୁ ମଧ୍ୟ ନବୀନ ଅସମର୍ଥ ଥିଲେ । ହିଞ୍ଜିଳି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବୋଲି ଜାଣିନଥିଲେ । ପ୍ରକାଶଙ୍କ ପୁସ୍ତକ କମେଡି ଇନ୍ ଖାକି ବହିରେ ଥିବା ଏମିତି କିଛି ଅକୁହା କାହାଣୀ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । 

Advertisment

ପ୍ରକାଶ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ, ସେ ନିଜେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିଲେ। ସବୁକିଛି ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲେ। ଲମ୍ବା କୁର୍ତ୍ତା, ପାଇଜାମା ଓ ଚପଲ ପିନ୍ଧୁଥିଲେ ମଧ୍ୟ, ଅନ୍ୟମାନଙ୍କ ପୋଷାକ ଉପରେ ରୁଚି ରଖୁଥିଲେ। ତେବେ ନିଜେ ଗୋଇଠିରୁ ଛୋଟ ପାଇଜାମା ପିନ୍ଧୁଥିଲେ ମଧ୍ୟ, ରାଜ୍ୟର ଜଣେ ଡିଆଇଜି ଗଲ୍‌ଫ ଟୋପି ପିନ୍ଧି ଟିଭିରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନାପସନ୍ଦ କରିଥିଲେ । ତା ସହିତ ନିଜର ସମର୍ଥକଙ୍କ ସହ ହାତ ମିଳାଇବା କିମ୍ବା ତାଙ୍କ ପାଖକୁ ଯିବା ପାଇଁ ସେ ପସନ୍ଦ କରୁ ନ ଥିଲେ ବୋଲି କହି ନା ନନେଇ ନବୀନଙ୍କୁ ତେରେଛା ତୀର ମାରିଛନ୍ତି ପ୍ରକାଶ । 

ପ୍ରକାଶଙ୍କ ଏହି ବହିରେ, ହିଞ୍ଜିଳି ସହ ସମ୍ପର୍କକୁ ଗୋଟିଏ ରୋଚକ କଥା ସାମ୍ନାକୁ ଆସିଛି । ଥିରେ ହିଞ୍ଜିଳି ଯାଇଥିବା ସମୟରେ, ଲୋକଙ୍କ ସମସ୍ୟା ଦେଖି, ସେହି ଅଞ୍ଚଳର ବିଧାୟକଙ୍କୁ ତୁରନ୍ତ ଡାକିବାକୁ କହିଥିଲେ ଏହି ବ୍ୟକ୍ତି । ହେଲେ ସେ ନିଜେ ସେହି ଅଞ୍ଚଳର ବିଧାୟକ ବୋଲି ସେ ଜାଣିନଥିବା ନିଜ ବହିରେ ଲେଖିଛନ୍ତି ପ୍ରକାଶ ମିଶ୍ର । ଏଥିସହ ନକ୍ସଲ ଗତିବିଧି ସମ୍ପର୍କରେ ଶୁଣିବା ବଦଳରେ ଭେକଟି ମାଛ ସହ ମାସଂ କିମା କେତେ ସ୍ୱାଦିଷ୍ଟ ଥିଲା, ସେ ନେଇ କଥା ହେଉଥିଲେ ନବୀନ । ଯାହାକୁ ନିଜ ବହିରେ ସ୍ଥାନ ଦେଇଛନ୍ତି ପ୍ରକାଶ ମିଶ୍ର ।

ତେବେ ନବୀନଙ୍କ ନାଁ ନନେଇ ପ୍ରକାଶ ମିଶ୍ର ତାଙ୍କ ବହି କମେଡି ଇନ୍ ଖାକିରେ ଲେଖିଥିବା ଏହି ସବୁ ଘଟଣା । ଖାସ୍ କରି ନବୀନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ଜାଣିନ ପାରିବା କଥା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ....