କନକବ୍ୟୁରୋ : ଗନ୍ଧମାର୍ଦ୍ଦନକୁ ନେଇ ପୁଣି ଦାନା ବାନ୍ଧୁଛି ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ଭରପୂର ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଅଦାନୀ କମ୍ପାନୀ ଜମି କଣିବା ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକୁଛି । ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଭରୁଆମୁଣ୍ଡା ଅଞ୍ଚଳରେ ଅଦାନୀ କମ୍ପାନୀ ୧୮ ଏକର ୩୯ ଡେସିମିଲ ଜମି କିଣିବା ପରେ ବିଭିନ୍ନ ମହଲରେ ଉଠିଛି ପ୍ରତିବାଦର ସ୍ବର । ଅଶୀ ଦଶକରେ ଏହି ଅଞ୍ଚଳରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ନାଲକୋ କମ୍ପାନୀକୁ ରାଜ୍ୟ ସରକାର ଅନୁମତି ଦେବା ପରେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ।
ନାଲକୋ ଫେରିଯିବାକୁ ବାଧ୍ୟ ହୋଇଥିଲା। ଏବେ ଅଦାନୀ ଏହି ଅଞ୍ଚଳରେ କାହିଁକି ଜମି କିଣିଛି, ସେନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । କେଉଁ ଉଦ୍ଦ୍ୟେଶ୍ୟରେ ଅଦାନୀ କମ୍ପାନୀ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଜମି କିଣିଛି ତାହା ସ୍ପଷ୍ଟ ହୋଇନାହିଁ ।
ଏହା ପଛରେ କିଏ ଅଛନ୍ତି, ସେନେଇ ପ୍ରଶ୍ନ ଉଠିଛି । ଏହା ବିରୋଧରେ ଆନ୍ଦୋଳନର ସ୍ବର ଉଠିଲାଣି । ଲୋକ ଏକାଠି ହେଲେଣି। ଗତକାଲି ଗନ୍ଧମାର୍ଦ୍ଦନ ପାଦଦେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଜନ ଜାଗରଣ ସମାବେଶ କରାଯାଇଥିଲା । ଅତୀତରେ ନାଲକୋ ହଟାଅ ପରି ଏବେ ଅଦାନୀ ହଟାଅ ପାଇଁ ଜୋରଦାର ଆନ୍ଦୋଳନ ହେବାର ସୂଚନା ମିଳିଛି ।
ଏହାକୁ ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଯଦି ଆଦାନୀକୁ ବକ୍ସସାଇଟ୍ ଖୋଳିବାକୁ ଜମି ଯୋଗାଇ ଦିଆଯାଏ, ତାହେଲେ କଂଗ୍ରେସ ତାକୁ ବିରୋଧ କରିବ। ଏପରିକି ଆଦାନୀକୁ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ନରସିଂହ ମିଶ୍ର ।