କନକ ବ୍ୟୁରୋ: ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ହଟାଇବା ଦାବିରେ ପୁଣି ଆନ୍ଦୋଳନ ଧମକ । ଅଳିଆ ଗଦା ହଟାଅ, ସୈନିକ ସ୍କୁଲ ବଞ୍ଚାଅ ସ୍ଲୋଗାନ୍‌ ଦେଇ ଲୋକ ଆନ୍ଦୋଳନ କରିଛନ୍ତି । ସାତଦିନ ଭିତରେ ଅଳିଆ ସଫା ନେଇ ବିଏମସି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।  

Advertisment

ଭୁବନେଶ୍ବର ସୈନିକ ସ୍କୁଲ ପାଖରେ ଡମ୍ପିଂ ୟାର୍ଡ ନେଇ ତୀବ୍ର ହେଉଛି ଜନ ଅସନ୍ତୋଷ ।  ଆଜି(ବୁଧବାର) ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି । ପୂର୍ବରୁ ଆନ୍ଦୋଳନ ସମୟରେ ବିଏମସି ପ୍ରତିଶ୍ରୁତି ଦେଇଥିଲା ଯେ, ସାତଦିନ ଭିତରେ ଅଳିଆ ସଫା କରାଯିବ । କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଅଳିଆ ଗଦାର ଦୁର୍ଗନ୍ଧ ଅସହ୍ୟ ହୋଇପଡ଼ିଛି । ତୁରନ୍ତ ପଳାଶୁଣି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରି ଏଠାରୁ ଡମ୍ପିଂ ୟାର୍ଡ ହଟାଇବାକୁ ଆନ୍ଦେଳନକାରୀ  ଦାବି କରିଛନ୍ତି । 
 
ଭୁବନେଶ୍ବର ପଳାଶୁଣିରେ ବର୍ଷେ ତଳୁ ନିର୍ମାଣ ସରିଥିବା ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନଥିବାରୁ କିଛିଦିନ ତଳେ ସ୍ଥାନୀୟ ଲୋକ ନଡ଼ିଆ ବାଡ଼େଇ ଏହାକୁ ଉଦଘାଟନ କରିଥିଲେ । ତେବେ ଏହା କାର୍ଯ୍ୟକ୍ଷମ କରିବାରେ ବିଳମ୍ବକୁ ନଗର ଉନ୍ନୟନ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏହାର ସମାଧାନ ପାଇଁ ୱେଷ୍ଟ ଟୁ ଏନର୍ଜି ପଦ୍ଧତି ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ଶୀଘ୍ର ସୈନିକ ସ୍କୁଲ ପାଖ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ନହେଲେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।