କନକ ବ୍ୟୁରୋ : କମ୍ପାନୀ ବିରୋଧରେ ଗ୍ରାମସଭା । କାରଖାନାର ଏକଚାଟିଆ ନିଷ୍ପତ୍ତିକୁ ବିରୋଧ । ବିନା ଗ୍ରାମସଭା, ଗ୍ରାମବାସୀଙ୍କ ବିନା ଅନୁମତିରେ ପାଣି ଉଠାଣକୁ ଜୋରଦାର ବିରୋଧ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକର ଝାରବେଡ଼ା ପଞ୍ଚାୟତ ପକ୍ଷରୁ ଏକ ସ୍ବତନ୍ତ୍ର ଗ୍ରାମସଭା କରାଯାଇ ରାଜଗାଙ୍ଗପୁରରେ ଥିବା ଓସିଏଲ ଷ୍ଟିଲ ଆଣ୍ଡ ଆଇରନ ଲିମିଟେଡ୍ କମ୍ପାନୀକୁ ବିରୋଧ କରାଯାଇଛି । ଗୋମ୍ଭାରଡ଼ିହି ସ୍ଥିତ ଚୂନପଥର ଡ଼େଲାମାଇଟ ଖଣିରୁ ପାଣି ନ ଦେବା ପାଇଁ ନିଷ୍ପତି ଗ୍ରହଣ ନେଇଛନ୍ତି ଗ୍ରାମବାସୀ । ଗ୍ରାମସଭା ଜରିଆରେ ପଞ୍ଚାୟତକୁ ନଜଣାଇ କାରଖାନା ଏବଂ ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଲୋକମାନେ ନିନ୍ଦା କରିଛନ୍ତି । ପ୍ରଶାସନ ଯଦି ପାଣି ବନ୍ଦ ନକରେ ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
କୁତ୍ରା ବ୍ଲକର ଗୋମ୍ଭାରଡ଼ିହିରେ ଟାଟା କମ୍ପାନୀର ଏକ ଚୁନପଥର ସହିତ ଡ଼େଲାମାଇଟ ଖଣି ଥିଲା । ଦୀର୍ଘ ୫ବର୍ଷ ହେବ କମ୍ପାନୀର ଲିଜ ଅବଧି ଶେଷ ହୋଇଛି । ରାଜ୍ୟ ସରକାରଙ୍କୁ ଜମି ଦେବା ସହ ଖଣିକୁ ବନ୍ଦ ରହିଛି । ବନ୍ଦ ଖଣିରୁ ପାଣିକୁ ନେବାକୁ ଓସିଏଲ କମ୍ପାନୀକୁ ଅନୁମତି ଦେଇଛି ଜିଲ୍ଳା ପ୍ରଶାସନ । ପଞ୍ଚାୟତବାସୀଙ୍କ ଅଜାଣତରେ ଏଭଳି ନିଷ୍ପତିକୁ ଲୋକମାନେ ବିରୋଧ କରିବା ସହିତ ତୁରନ୍ତ ପାଣି ବନ୍ଦ କରିବାକୁ ଦାବି କରିଛନ୍ତି । କମ୍ପାନୀକୁ ପାଣି ଚାଲିଗଲେ ସ୍ଥାନୀୟ ଅଞ୍ଚଳରେ ନଳକୂପ ଏବଂ ଉଠା ଜଳ ସେଚନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।