କନକ ବ୍ୟୁରୋ: ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ବିକ୍ଷୋଭ । ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ଠାକୁରଙ୍କ ମୂଲ୍ୟବାନ ଜମି ଶାଗମାଛ ଦରରେ ବିକ୍ରି ପ୍ରକ୍ରିୟାକୁ ବିରୋଧ କରିଛନ୍ତି ସତ୍ୟବାଦୀ ସଚେତନ ନାଗରିକ ଓ ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗର ଚକ୍ରାନ୍ତକୁ ନିନ୍ଦା କରିଛନ୍ତି ସେବାୟତ ଓ ସଚେତନ ନାଗରିକ । ଉଚିତ୍‌ ବଜାର ଦର ଧାର୍ଯ୍ୟ ନହେବା ଯାଏଁ ବିକ୍ରି ପ୍ରକ୍ରିୟାକୁ ବନ୍ଦ କରିବାକୁ ତୁରନ୍ତ ଆଦେଶ କରାଯାଉ ବୋଲି ଦାବି କରିଛନ୍ତି ।

Advertisment

ଠାକୁରଙ୍କୁ ଠକେଇ ଚଳିବ ନାହଁ । ପ୍ରତିବାଦର ବ୍ୟାନର ଧରି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ବିକ୍ଷୋଭ କରିଛନ୍ତି ସତ୍ୟବାଦୀର ବୁଦ୍ଧିଜୀବୀ, ସମାଜସେବୀ ଏବଂ ସେବାୟତ । ସାକ୍ଷୀଗୋପାଳଙ୍କ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ବିକ୍ରି ପ୍ରକ୍ରିୟାକୁ ବିରୋଧ କରିଛନ୍ତି ସଚେତନ ନାଗରିକ ଓ ଶ୍ରଦ୍ଧାଳୁ । ୬ ବର୍ଷ ତଳେ ବଜାର ଦରରେ ବିକ୍ରି ହୋଇଥିବା ସମ୍ପତ୍ତିର ବର୍ତ୍ତମାନ ଦର ଶହେଗୁଣା ଅଧିକ ହେବ । ତେଣୁ ଖୁବ୍‌ କମ୍‌ ଦରରେ ବିକିବା ପଛର ରହସ୍ୟ ଉନ୍ମୋଚନ କରାଯାଉ । ଠାକୁରଙ୍କ ସମ୍ପତ୍ତି ହସ୍ତାନ୍ତର କ୍ଷେତ୍ରରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୯ରେ ସାକ୍ଷୀଗୋପାଳ ଠାକୁରଙ୍କ ୯ ଏକର ୬୦ ଡେସିମିଲି ଜମିକୁ ୧୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏବେ ପୁଣି ୬ ଏକର ୪୭ ଡେସିମିଲି ଜମିକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ନିଷ୍ପତି କରାଯାଇଛି। ଠାକୁରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଆଦେଶର ପୁର୍ନବିଚାର ଦାବି ଜୋର ଧରିଛି। ସତ୍ୟବାଦୀ ତହସିଲଦାର ତଥା ଭାରପ୍ରାପ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଜମିକୁ ବେଞ୍ଚ ମାର୍କ ଭାଲୁଏସନ୍ ଠାରୁ ୧୦ ଗୁଣ ବୃଦ୍ଧି କରି ବିକ୍ରି ପାଇଁ ଆଦେଶ ଦେଇଛନ୍ତି। ସ୍ଥାନୀୟ ବଜାର ଦର ଅନୁସାରେ, ମୂଲ୍ୟବୃଦ୍ଧି ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯାଇଛି । ଯଦି ଏବେ ଠାରୁ ଏହାର ସଂଶୋଧନ କରାନଯାଏ, ତେବେ ଆଗକୁ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।