କନକ ବ୍ୟୁରୋ: ସରକାର ନୂଆ ମଦନୀତି ଜରିଆରେ ମାଣ୍ଡିଆରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଯୋଜନାକୁ ନେଇ ବିରୋଧ କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ।
ରାଜ୍ୟରେ ଖୁବ ଶୀଘ୍ର ଆସିବାକୁ ଯାଉଛି ମଦ ନୀତି । ଆଉ ନୂଆ ନୀତିରେ କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ମଦ କାରବାର ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହା ବିରୋଧରେ ବଢିଲାଣି ସ୍ୱର । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । ଲୋୟର ପିଏମଜିରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜସେବୀ । ଓଡିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ରାଜ୍ୟ ସରକାର ଯୁବପିଢିଙ୍କୁ ମଦ ନିଶାରେ ବୁଡାଇବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି ।
ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ , ମାଣ୍ଡିଆ, ଯଅ, ବାଜରା ଭଳି ଶସ୍ୟରୁ ମଦ ତିଆରି କରାଯିବ । ଏନେଇ ବିଭିନ୍ନ କମ୍ପାନୀ ସହ ଅବକାରୀ ବିଭାଗ ଆଲୋଚନା ବି ଆରମ୍ଭ କରିସାରିଛନ୍ତି । ଏହି ସମୟରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ମଦକୁ ବିରୋଧ କରି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ମାଣ୍ଡିଆକୁ ଶ୍ରୀ ଅନ୍ନ କୁହାଯାଥିବାବେଳେ ପୁରୀ ଜଗନ୍ନାଥ ମନ୍ଦିରରେ ମାଣ୍ଡିଆରେ ପ୍ରସାଦ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି ସରକାର । ଅନ୍ୟପଟେ ସେହି ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି ।