କନକ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରାକୁ ନିଷ୍ପତିକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଏଭଳି ନିଷ୍ପତିକୁ ବିରୋଧ କରିଛନ୍ତି। ଗଜପତି ମହାରାଜ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ସେପଟେ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ନିୟମ ପାଳନ କରାଯାଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
- ଇସ୍କନର ଅଦିନିଆ ରଥଯାତ୍ରା ନିଷ୍ପତିକୁ ବିରୋଧ
- ନିଷ୍ପତିକୁ ନିନ୍ଦା କଲେ ଶଙ୍କରାଚାର୍ଯ୍ୟ
ଅଦିନରେ ଆମେରିକାରେ ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହାକୁ ନେଇ ଉଠିଛି ଦୃଢ଼ ପ୍ରତିବାଦର ସ୍ବର। ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। କହିଛନ୍ତି, ଇସ୍କନ ବିଧିକୁ ଉଲଙ୍ଘନ କରି ନିଜର ଖ୍ୟାତି ପାଇଁ ଏଭଳି କାର୍ଯ୍ୟ କରୁଛି। ଖ୍ୟାତି ପାଇଁ ବିଧି ଉଲଙ୍ଘନ କଲେ ସବୁଥିରେ ଅସଫଳ ହେବ ଇସ୍କନ।
ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ନଭେମ୍ବର ୩ ଓ ନଭେମ୍ବର ୯ରେ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି ଗଜପତି। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଛନ୍ତି ଗଜପତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ଚିଠିରେ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଗଜପତି ଲେଖିଥିବା ଚିଠିକୁ ଇସ୍କନ କର୍ତ୍ତୃପକ୍ଷ ଗୁରୁତର ସହ ନେବାକୁ କହିଛନ୍ତି ଆଇନମନ୍ତ୍ରୀ । ଅନ୍ୟପଟେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ମଧ୍ୟ ଇସ୍କନର ଏଭଳି ନିଷ୍ପତିକୁ ବିରୋଧ କରାଯାଇଛି।
ଏହା ପୂର୍ବରୁ ମଧ୍ୟ ଇସ୍କନ ପକ୍ଷରୁ ଏଭଳି ବ୍ୟତିକ୍ରମ ପରେ ଗଜପତି ଚିଠି ଲେଖିଥିଲେ। ୨୦୨୧ରେ ଗଜପତିଙ୍କୁ ଚିଠିରେ ଏଭଳି ଆଉ ବ୍ୟତିକ୍ରମ ହେବନାହିଁ ବୋଲି ଜଣାଯାଇଥିଲା। ହେଲେ ଇସ୍କନ ସୋସାଇଟିର ପୁଣି ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲେଣି ଜଗନ୍ନାଥ ପ୍ରେମୀ। ଏପରିକି ଇସ୍କନ ଭକ୍ତଙ୍କୁ ଆଗକୁ ସିଂହଦ୍ୱାର ମଧ୍ୟ ମନା ହେବ ବୋଲି ଚେତାବନୀ ଦେଇଛନ୍ତି ।