କନକ ବ୍ୟୁରୋ: ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତର କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକ ନିଜ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ରାତିରେ ଘରେ ଶୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିଲା । ଘରର ସମସ୍ତ ଆସବାବପତ୍ର ଏବଂ ତିନି ଲକ୍ଷ (୫୦୦ ଟଙ୍କିଆ) ବିଡ଼ା ନୋଟ୍‌ ସହ ସୁନା ଓ ରୁପା ଗହଣା ଆଦି ଜଳିଯାଇଛି । 

Advertisment

ପୋଡ଼ି ଯାଇଥିବା ଟଙ୍କାକୁ ବାବୁଲି ଘର ତିଆରି ପାଇଁ ପଇଡ଼ ବ୍ୟବସାୟ କରି ଏବଂ ଲୋନ୍ କରି ସଞ୍ଚୟ କରିଥିଲେ । ପରିବାର ଲୋକେ ଉଠିବା ବେଳକୁ ଘର ସାରା ନିଆଁ ବ୍ୟାପି ଯାଇଥିଲା । ଜୀବନ ବଞ୍ଚାଇବାକୁ ପରିବାର ଲୋକେ ବାହାରକୁ ପଳାଇ ଆସିବା ବେଳେ ଉପରେ ନିଆଁ ପଡ଼ିଯିବାରୁ ଦୁଇ ଜଣ ଆହତ ହୋଇଛନ୍ତି । ବାବୁଲି ନାୟକ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । 

ସମସ୍ତ ଆସବାବପତ୍ର ସହ ନଗଦ ୩ ଲକ୍ଷ ଟଙ୍କା (୫ଶହ ଟଙ୍କିଆ), ୩ ଟି ମୋବାଇଲ ଫୋନ୍, ଟିଭି, ଫ୍ୟାନ, ଦୁଇଟି ସାଇକେଲ, ସୁନା, ରୂପା ଗହଣା, ପିନ୍ଧା ଲୁଗା ସବୁ ପୋଡ଼ଯାଇଛି । ଖବରପାଇ ପୁରୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିବା ଥିଲେ ।

ଏହି ଘଟଣା ବିଷୟରେ ସୂଚନା ପାଇବାପରେ ସାକ୍ଷୀଗୋପାଳ ଗୁରୁକୁଳ ଆଥେଲେଟିକ୍ ର ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର ଏବଂ ପାରା ଆଥେଲେଟ୍ ଜୟନ୍ତୀ ବେହେରା ଓ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘର ମିଡ଼ିଆ ସଂଯୋଜକ ଆଲୋକ ଖୁଣ୍ଟିଆଙ୍କ ସହିତ କ୍ରୀଡାବିତ୍ ମାନେ ଘଟଣା ସ୍ଥଳରେ ପହଞ୍ଚି ବାବୁଲି ନାୟକଙ୍କ ପରିବାରକୁ ଶୁଖିଲା ଖାଦ୍ୟ, ପିନ୍ଧା ବସ୍ତ୍ର, ରନ୍ଧା ଖାଦ୍ୟ ଯୋଗାଇବା ସହ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳିନଥିବାରୁ ସର୍ବହରା ହୋଇଥିବା ବାବୁଲି ନାୟକଙ୍କ ପରିବାର ଦୁଃଖ ବ୍ୟକ୍ତ କରିଛନ୍ତି ।