କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ଆଜି ଏହାର ତୃତୀୟ ଦିନ । ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ସମ୍ମିଳନୀରେ ସବୁଜ ଖଣି ସଂକ୍ରାନ୍ତିୟ ଆଲୋଚନାରେ ଯୋଗ ଦେଇ ପ୍ୟାଣ୍ଟିଜ୍ ଗ୍ରୁପ୍ ଅଫ୍ ନନ୍-ପ୍ରଫିଟ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଷ୍ଟାଲିନ୍ ନାୟକ ନିଜର ମତ ରଖିଛନ୍ତି ।
ସବୁଜ ଖଣି ଏବଂ ସବୁଜ ଦାୟିତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି, ‘‘ଏକ ସଂସ୍ଥା ଭାବେ ଆମେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ଖଣି ପ୍ରଭାବିତ ସମ୍ପ୍ରଦାୟରେ କାମ କରୁଛୁ । ଖଣି ହେଉଛି ଆମ ରାଜ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସବୁଜ ଖଣି ହେଉଛି ସମ୍ବଳର ସ୍ଥାୟୀ ବ୍ୟବହାର । ଖଣିର ନବୀକରଣୀୟ ଶକ୍ତିର ବ୍ୟବହାର, ପ୍ରାକୃତିକ ସମ୍ପଦ ପରିଚାଳନାର ଆବଶ୍ୟକତା ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି..ଯେତେବେଳେ ଆମେ ଖଣି କଥା ହେଉଛୁ, ତାହା କେବଳ ଶିଳ୍ପ କ୍ଷେତ୍ରର ଖଣି ନୁହେଁ ବରଂ ଏହା ଏକ ଖଣି ସମ୍ପ୍ରଦାୟ ମଧ୍ୟ । ଗତ କିଛି ବର୍ଷ ମଧ୍ୟରେ ଆମେ ଖଣି ପ୍ରଭାବିତ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ଯୋଜନା କରିଛୁ । ଆମେ ଏମିତି କିଛି ମାନଚିତ୍ର ଏବଂ ଡାସ୍ବୋର୍ଡ ପ୍ରସ୍ତୁତ କରିଛୁ, ଯାହାକି କେବଳ ସରକାର ନୁହେଁ, ବରଂ ଶିଳ୍ପ ପ୍ରତିଷ୍ଠାନକୁ ବି ଡାଟା ପାଇବାରେ ସାହାଯ୍ୟ କରୁଛି ।’’
ସେ ଆହୁରି ବି କହିଛନ୍ତି ଯେ ‘‘ମୁଁ ସମସ୍ତଙ୍କୁ ଝାରସୁଗୁଡ଼ାର ବ୍ରଜରାଜନଗରକୁ ଯିବାକୁ ଅନୁରୋଧ କରୁଛି । ସେଠାରେ ଆପଣ ୪ଟି ପରିତ୍ୟକ୍ତ ଖଣି ପାଇବେ । ସେଥିରୁ ଗୋଟାକରେ ଏକ ସୁନ୍ଦର ଇକୋସିଷ୍ଟମ୍ ପାର୍କ ହୋଇଛି । ଆପଣ ସେହି ପାର୍କକୁ ଗଲେ ବୁଝିପାରିବେ ଯେ କିପରି ଖଣି କାମ କରେ ।’’