କନକ ବ୍ୟୁୁରୋ : ଜନ୍ମଦିନ ଅବସରରେ ଓଡିଶାର ମହିଳାଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନତା ମଇଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ବଟନ ଟିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଭାଉଚର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି, ମହିଳାଙ୍କ ଉନ୍ନତି, ବଢ଼ୁଥିବା ସାମର୍ଥ୍ୟ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ । ଓଡ଼ିଶାର ୧କୋଟିରୁ ଅଧିକ ମହିଳାଙ୍କୁ ଲାଭ ମିଳିବ । ଡିବିଟି ମାଧ୍ୟମରେ ସିଧାସଳଖ ଖାତାକୁ ଟଙ୍କା ଯିବ ।

ସୁଭଦ୍ରାକୁ ପ୍ରଗତିଶୀଳ ଓ ବୈପ୍ଳବିକ ଯୋଜନା ବୋଲି କହିବା ସହ ମାଆ ମାନଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ଯିବ । ୫ ବର୍ଷ ଯାଏ ମହିଳାମାନେ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ପାଇପାରିବେ । ସେହିପରି ସୁଭଦ୍ରାକୁ ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ପ୍ରଥମ ଦିନରେ ୨୫ ହଜାର ୧୧ଜଣ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିଛି । ସୁଭଦ୍ରା ଟଙ୍କା ଆସିବା ପରେ ହିତାଧିକାରୀ ଭିତରେ ନିଆରା ଖୁସି ଦେଖିବାକୁ ମିଳିଛି ।

ମୋଦୀଙ୍କ ଗସ୍ତ ଓ ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ସାରାରାଜ୍ୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ସୁଭଦ୍ରାର କ୍ରେଜ । ଜମିଥିଲା ମହିଳାଙ୍କ ଭିଡ଼ ।