କନକ ବ୍ୟୁରୋ: ଅନ୍ତିମ ଯାତ୍ରାରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ସବୁ ବର୍ଗର ଲୋକ । ରତନ ଟାଟାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ରଖାଯାଇଛି । ସେଠାରେ ହିଁ ଲୋକମାନେ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରତନ ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଦିନିକିଆ ଶୋକ ଘୋଷଣା କରାଯାଇଛି । ୮୬ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା ।
ନିଜର ବଳିଷ୍ଠ ଅବଦାନରେ ଟାଟା ଗ୍ରୁପକୁ ଶୀର୍ଷରେ ପହଞ୍ଚାଇ ପାରିଥିଲେ ରତନ ଟାଟା ।୧୯୯୧ରୁ ସେ ଟାଟା ଗ୍ରୁପର ମଙ୍ଗ ସମ୍ଭାଳିବା ଆରମ୍ଭ କରିଥିଲେ । ସେବେଠୁ ୨୦୧୨ ମଧ୍ୟରେ ଟାଟାର ଗ୍ରୁପକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ରତନ । ଶିଳ୍ପ ଜଗତ ବ୍ୟତୀତ ତାଙ୍କର ମାନବୀୟ ଗୁଣ ଆଜି ସମସ୍ତଙ୍କ ମନରେ ତାଙ୍କ ପାଇଁ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ଆଜି ତାଙ୍କ ବିୟୋଗରେ ସାରା ଦେଶ ତାଙ୍କୁ ଝୁରୁଛି ।