କନକ ବ୍ୟୁରୋ : ବାଟବଣା ସରକାରୀ ଯୋଜନା । ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ କୋଠା । ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ରରେ ଝୁଲୁଛି ତାଲା । ଗଞ୍ଜାମର ଆସିକା ଓ ଧରାକୋଟ ବ୍ଲକରୁ ର୍ଦୁନୀତି ଅଭିଯୋଗ ଆସିଛି । ସମାଜର ହିତ ପାଇଁ ନିର୍ମିତ କୋଠା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।
ସବୁ ବ୍ଲକରେ ତିଆରି ହେବ ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର । ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲା ଆସିକାର ୪ଟି ପଞ୍ଚାୟତରେ କୋଠା ନିର୍ମାଣ ପାଇଁ ଅନୁଦାନ ଆସିଲା । କାଳଷଣ୍ଡପୁର, ବାବନପୁର, ଭେଟନଇ ଓ ବରଗାଁରେ ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅଳିଆ ଆବର୍ଜନାରୁ ଜୈବିକ ଖତ ପ୍ରସ୍ତୁତି ଲକ୍ଷ୍ୟ ଥିଲା । ହେଲେ ଗୋଟେ ବି ନିର୍ମାଣ କାମରେ ଲାଗୁନଥିବା ଅଭିଯୋଗ ହୋଇଛି ।
ଭୂତକୋଠି ପାଲଟିଛି କୋଠା । ଛପର ଉଡ଼ିଗଲାଣି । ଅସାମାଜିକଙ୍କ ଆଡ୍ଡା ପାଲଟିଛି । ଚାରିପଟେ ମଦବୋତଲ ପଡ଼ିଛି । ଏତେ ପରେ ବି ଜିଲ୍ଲା ପ୍ରଶାସନର ନଜର ପଡୁନି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ କୋଠା ବାସ୍ତବରେ କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ସରକାର ବଦଳିବା ପରେ, ବିଜେପି ସରକାର ଅମଳରେ ପରିବର୍ତ୍ତନର ଆଶା ରଖିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଅଣୁ ଜୈବ ପ୍ରସ୍ତୁତି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ ହୋଇଛି ।