କନକ ବ୍ୟୁରୋ: ବିଶ୍ୱଦର୍ଶୀ ସାହୁ। ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ । ବାବୁଙ୍କ ଆଖି ତରଟା ସମ୍ପତି ଦେଖି ଭିଜିଲାନ୍ସ ବି ତାଜୁବ । ବାବୁଙ୍କର ଉଭା ଯେତିକି ପୋତା ସେତିକି । ଖାଲି ଆଖିକୁ ସାଦା ସିଧା ଦେଖାଯାଉଥିବା ଏହି ସରକାରୀ ବାବୁ ଜଣେ କୋଟିପତି । ନିରିହ ଆଦିବାସୀଙ୍କ ବିକାଶ ବା ଉନ୍ନୟନ ମୁଳକ କାମ ପାଇଁ ଆସିଥିବା ଟଙ୍କା ବାଟମାରଣା ଅଭିଯୋଗ ଆସିଥିଲା । ବିନା ଟଙ୍କାରେ ଫାଇଲ ଘୁଞ୍ଚାଉ ନଥିବା ଏହି କୋଟିପତି ଅଫିସରଙ୍କ ବିରୋଧରେ ମାଳ ମାଳ ପିଟିସନ୍ ଭିଜିଲାନ୍ସରେ ପଡି ଆସୁଥିଲା । ଲାଞ୍ଚ ନେଲା ବେଳେ, ଭିଜିଲାନ୍ସକୁ ଚକମା ଦେଇ ଛୁ ମାରୁଥିଲେ । ଆଉ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛାପା ମାରିବା ପରେ, ସାମନାକୁ ଆସିଛି ଏହି ଅମାପ ସମ୍ପତିର ଲମ୍ୱା ତାଲିକା । 
 
ଟିକିଏ ନଜର ପକାନ୍ତୁ ଏହି ପ୍ରକଳ୍ପ ଅଧିକାରୀ କେତେ ସମ୍ପତିର ମାଲିକ। 
-    ଭୁବନେଶ୍ୱରେ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ବିରାଟ ଅଟ୍ଟାଳିକା
-    ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଏକ ବଡ ଫ୍ଲାଟ
-    ଖାରବେଳନଗର ଇଭୋଜ ଗାଲାକ୍ସି ଆପାର୍ଟମେଟରେ ଫ୍ଲାଟ
-    ଭୁବନେଶ୍ୱର ଓ ପୁରୀରେ ୯ଟି ବଡ ବଡ ପ୍ଲଟ
-    ନଗଦ ୨ ଲକ୍ଷରୁ ଅଧିକ ଟଙ୍କା
-    ଦେଢଶହ ଗ୍ରାମର ସୁନା ଅଳଙ୍କାର, ଲକର ଖୋଲିବା ବାକି ରହିଛି
-    ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ, ପୋଷ୍ଟାଲ ଡିପୋଜିଟ
ଏହି ସହ ସମ୍ପର୍କୀୟଙ୍କ ନାମରେ କିଛି କାରବାର କରିଥିବାର ଗନ୍ଧ ଭିଜିଲାନ୍ସ ପାଇଛି। ସେମାନଙ୍କୁ ଖୁବଶୀଘ୍ର ସମ୍ପର୍କୀୟଙ୍କୁ ଭିଜିଲାନ୍ସ ଅଫିସକୁ ଘୋଷାଡିବ ବୋଲି ଚର୍ଚା ଜୋର ଧରିଛି। 

Advertisment

ଟଙ୍କା ଖାଇ ଟିଙ୍କ ଭଳି ଫୁଲି ଗଲେଣି ସରକାରୀ ବାବୁ । ମୋଟା ଅଙ୍କର ଦରମା ପାଉଛନ୍ତି, ସରକାରୀ ଚୌକିରେ ବସି ଲୋକଙ୍କ ଟଙ୍କା ଖାଉଛନ୍ତି । ଆହୁରି କିଛି କୋଟିପତି ବାବୁଙ୍କୁ ତାଲିକା ତିଆରି କରି ଭିଜିଲାନ୍ସ ଛାଟ ମାରିବାକୁ ପ୍ରସ୍ତୁତ ହେଉଛି ।