କନକବ୍ୟୁରୋ : ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀ କରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି । ଏହା ସହ ଯାତ୍ରାରେ ଅଶ୍ଳୀଳତା, ଦିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ପାଇଁ ଦାବିପତ୍ର ପ୍ରଦାନ କରିଛି ସଂଘ ।
ବର୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି , ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ଅଶ୍ଳୀଳ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଏନେଇ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ ।
ଯାତ୍ରାରେ ରାତି ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ପ୍ରତ୍ୟକ୍ଷରେ ଯାତ୍ରାକୁ ନେଇ ମାଲିକମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଛି ।
ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଳୀଳତାରେ ଅଙ୍କୁଶ ଲଗାଯାଇପାରିବ । ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ସଂସ୍କୃତି ପରମ୍ପରାକୁ ପ୍ରଶୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।