କନକ ବ୍ୟୁରୋ;   ଏ ହେଉଛନ୍ତି ନାରାୟଣ ସ୍ୱାଇଁ । ସରକାରୀ ଚାକିରି ପରେ ସେ ଲେମ୍ବୁ ଚାଷ କରୁଛନ୍ତି । ଜଣେ ସଫଳ କାଗିଜି ଲେମ୍ବୁ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଚାକିରି ସମୟରେ ତାଙ୍କର ଚାଷ ପ୍ରତି ଦୁର୍ବଳତା ଥିଲା। ଏବେ ଏହି ଚାଷ ତାଙ୍କୁ ଆତ୍ମସନ୍ତୋଷ ଦେଇଛି । ପ୍ରାୟ ଏକ ଏକର ଜମିରେ ସେ ଲେମ୍ବୁ ଗଛ ଲଗାଇଛନ୍ତି । ଗଛ ଲଗାଇବାର ୩ ବର୍ଷ ପରେ ଭଲ ଅମଳ ହେଉଛି ।

Advertisment

ମାତ୍ର ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ପ୍ରତିବର୍ଷ ତାଙ୍କୁ ଲକ୍ଷାଧିକ ଟଙ୍କାର ରୋଜଗାର ମିଳୁଛି । ନିକଟସ୍ଥ ଏକ ବେସରକାରୀ ଫାର୍ମରୁ ଚାରା କିଣି ଲଗାଇଥିଲେ । ବିଭିନ୍ନ ପ୍ରଜାତିର କାଗେଜି ଲେମ୍ବୁ ଯଥା ଗୋଲ, ଚେପଟା, ଲମ୍ବା, ପତଳା ଚୋପା, କଣ୍ଟା ବିହୀନ କାଗିଜି ଚାରା ରୋପଣ କରି ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ଲେମ୍ବୁ ସହିତ ଅମୃତଭଣ୍ଡା, ଗୁଆ, ନଡ଼ିଆ, ପିଜୁଳି, ଆମ୍ବ, ପଣସ ଭଳି ବିଭିନ୍ନ ଫଳ ଓ ପନିପରିବା ଚାଷ ବି କରିଛନ୍ତି । ସେ ନିଜେ ରୋଜଗାର କରିବା ସହ ଏହି କାମରେ ୪ ଜଣଙ୍କୁ ନିୟୋଜିତ କରିଛନ୍ତି । 

 ନାରାୟଣଙ୍କ ଦୃଢ ମନୋବଳ କଠିନ ପରିଶ୍ରମ ଆଗରେ ହାର ମାନିଛି ବୟସ। ଏଥିସହିତ ବର୍ତ୍ତମାନ ଯୁବ ସମାଜ ପାଇଁ ସେ ମଧ୍ୟ ପ୍ରେରଣା ପାଲଟିଛନ୍ତି । ଅନ୍ୟପଟେ ତାଙ୍କର ଏହି କାଗେଜି ଲେମ୍ବୁ ଫାର୍ମକୁ ଅନେକ ଉତ୍ସାହୀ ଚାଷୀ ଆସି ଏହି ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ ଆମଦାନୀ ହେବା ଫଳରେ କଟକ ସାଲେପୁର, ଜଗତସିଂହପୁର ସହ ନିକଟସ୍ଥ ମାର୍କେଟ ନିଶ୍ଚିନ୍ତକୋଇଲି, ନେମାଳ, ବିଲହାଟ ଭଳି ମାର୍କେଟକୁ ବିକ୍ରି ପାଇଁ ପଠାଉଛନ୍ତି ।  ଯୁବପିଢ଼ି ଚାକିରି ପଛରେ ନଗୋଡ଼ାଇ ଏହି ଭଳି କିଛି ନୂଆ ପଦ୍ଧତିର ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ବାର୍ତ୍ତା ଦେଇଛନ୍ତି ।