କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଆଉ କିଛି ଦିନ ପରେ ଦେଖାଯିବ କ୍ରିକେଟ ଫିବର । ଲଢେଇ ପାଇଁ ମୈଦାନକୁ ଓହ୍ଲାଇବେ ବିଶ୍ବର ବଡ ବଡ ଦଳ । କିଏ ଜିତିବ ମ୍ୟାଚ ତାକୁ ନେଇ କଳ୍ପନା ଜଳ୍ପନା ବି ଆରମ୍ଭ ହୋଇଗଲାଣି । ଫେବୃଆରୀ ୧୯ ତାରିଖରେ ଆରମ୍ଭ ହେବାକୁ ଥିବା କ୍ରିକେଟର ଏହି ମହାସମର ପାକିସ୍ତାନରେ ହାଇବ୍ରିଡ ମଡେଲରେ ହେବାକୁ ଯାଉଛି । ଯେଉଁଠି ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଏହାରି ଭିତରେ ଆଇସିସି ଚାମ୍ପିୟନ୍ସସ ଟ୍ରଫିର ପ୍ରାଇଜ ମନି ଘୋଷଣା କରିଛି । ହାରନ୍ତୁ ବା ଜିତନ୍ତୁ ଏଥର କିନ୍ତୁ ମାଲାମାଲ ହେବେ ଦଳ । 

Advertisment

ଚାମ୍ପିୟନ୍ସ ଟ୍ରଫି ପ୍ରାଇଜ ମନି ଅନୁସାରେ ବିଜେତା ଟିମକୁ ପାଖାପାଖି ୧୯ କୋଟି ୪୬ ଲକ୍ଷ ଟଙ୍କା ମିଳିବ । ସେହିପରି ରନର୍ସଅପ ଦଳକୁ ପାଖାପାଖି ୯ କୋଟି ୭୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆଉ ସେମିଫାଇନାଲରେ ହାରିଥିବା ଦୁଇ ଦଳଙ୍କୁ ସମାନ ଭାବରେ ୪ କୋଟି ୮୬ ଲକ୍ଷ ଟଙ୍କା ମିଳିବ । ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ । ଗ୍ରୁପ ଷ୍ଟେଜରେ ମ୍ୟାଚ ଜିତିବା ପରେ ଦଳକୁ ୨୯ ଲକ୍ଷ ୫୩ ହଜାର ଟଙ୍କା ମିଳିବ । ହେଲେ ଷଷ୍ଠ ସପ୍ତମ ସ୍ଥାନରେ ରହିଲେ ସମାନ ଭାବରେ ୧ କୋଟି ୨୨ ଲକ୍ଷ ଟଙ୍କା ମିଳିବ । ଏହି ସବୁ ବ୍ୟତୀତ ସମସ୍ତ ୮ ଟିମକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବାରୁ ୧ କୋଟି ୯ ଲକ୍ଷ ଟଙ୍କା ମିଳିବ । ଏହି ସବୁ ପ୍ରାଇଜ ମନିକୁ ମିଶାଇ ଆଇସିସି ଏହି ଟୁର୍ଣ୍ଣାମେଣ୍ଟରେ ୬୦ କୋଟି ଟଙ୍କା ବାଣ୍ଟିବ । ଯାହା ୨୦୧୭ ତୁଳନାରେ ୫୩ ପ୍ରତିଶତ ଅଧିକ । 

ଫେବୃଆରୀ ୧୯ ତାରିଖରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ସେହିପରି ଭାରତ ତାର ପ୍ରଥମ ମ୍ୟାଚ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହାପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ପରେ ୭ ଦିନର ବିଶ୍ରାମ ନେଇ ଭାରତ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଭାରତ ଗତଥର ଚାମ୍ପିୟନ୍ସ ଟ୍ରଫି ୨୦୧୩ରେ ଜିତିଥିଲା । ଯାହାର ଅଧିନାକତ୍ୱ କରିଥିଲେ ମହେନ୍ଦ୍ର ସିଂ ଧୋନୀ । ୨୦୦୨ରେ ବର୍ଷା କାରଣରୁ ଫାଇନାଲ ରଦ୍ଦ ହୋଇଥିଲା, ସେତେବେଳେ ଭାରତ ଶ୍ରୀଲଙ୍କା ମିଳିତ ଭାବେ ଚାମ୍ପିୟନ ହୋଇଥିଲେ । 

ପୂର୍ବରୁ ମୋଟ ୮ ଥର ଚାମ୍ପିୟନ୍ସ ଟ୍ରଫି ଖେଳ ହୋଇଛି । ଯେଉଁଥିରେ ଭାରତ ୪ ଥର ଫାଇନାଲରେ ପ୍ରବେଶ କରିଛି, ୨ ଥର ଚାମ୍ପିୟନ ହୋଇଥିବା ବେଳେ ୨ ଥର ରନର୍ସଅପ ହୋଇଛି । 

ତେବେ ଚଳିତ ବର୍ଷ ପାକିସ୍ତାନ ଏହି ଚାମ୍ପିୟନ୍ସ ଟ୍ରଫିକୁ ଆୟୋଜନ କରୁଥିବାରୁ କରାଚୀ, ଲାହୋର ଓ ରାଓ୍ବଲପିଣ୍ଡିରେ ଏହାର ସମସ୍ତ ମ୍ୟାଚ ଖେଳାଯିବ । ହେଲେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଦେଖିବା ବାକି ରହିଲା ଏଥର କିଏ ଜିତିବ ଚାମ୍ପିୟନ୍ସ ଟ୍ରଫି ।