ବଢ଼ିଲା ପ୍ରିୟଙ୍କାଙ୍କ ଅଡ଼ୁଆ ; ଚାଲିଛି ଘନ ଘନ ଜେରା

ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ବାନ୍ଧବୀ ପୁରୀର ପ୍ରିୟଙ୍କା ସେନାପତିଙ୍କ ବଢ଼ିଲା ଅଡୁଆ । ଚାଲିଛି ଘନ ଘନ ଜେରା । ଭିଡିଓ କନଫରେନ୍ସରେ ହିସାର ପୁଲିସର ପଚରାଉଚରା 

ଅଦ୍ୟତନ ହୋଇଛି
priyanka

priyanka Photograph: (KanakNews)

କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରିଛି ଏନଆଇଏ । ଏପଟେ ଜ୍ୟୋତିଙ୍କ ସହ ବିଭିନ୍ନ ସ୍ଥାନକୁ ଯାଉଥିବା ପୁରୀର ପ୍ରିୟଙ୍କାଙ୍କୁ ଗତକାଲି ଠାରୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି ପୁଲିସ ।  ମିଳିଥିବା ସୂଚନା ଅନୁସାରେ,  ଗତକାଲି ପ୍ରିୟଙ୍କାଙ୍କୁ କାଳିକାଦେବୀ ସାହି ଘରୁ ପୁଲିସ ଉଠାଇ ନେଇଥିଲା । ଏସପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୁଲିସ ଭିସି ଜରିଆରେ କରିଥିଲା ପଚରାଉଚରା । 

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ କେମିତି ବନ୍ଧୁତା ହେଲା ସେନେଇ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କେବେ ଓ କାହିଁକି ପାକିସ୍ତାନ ଯାଇଥିଲେ ସେନେଇ ପ୍ରଶ୍ନ କରିଥିଲା ହିସାର ପୁଲିସ । ଅନ୍ୟପଟେ ପ୍ରିୟଙ୍କା କର୍ତାରପୁର କରିଡର ଦେଇ ପାକିସ୍ତାନ ଯାଇଥିବାର ଫଟୋ ସୋସିଆଲ ମିଡ଼ିଆରେ ନିଜେ ପୋଷ୍ଟ କରିଥିଲେ। କର୍ତାରପୁର କରିଡର ସାମ୍ନାରେ ଛିଡା ହୋଇ ସେଲଫି ଉଠାଇଥିଲେ ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି। ହାତରେ ପାକିସ୍ତାନ ଟଙ୍କା ଓ ପାସପୋର୍ଟ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।  ଏପରିକି ଜ୍ୟୋତିଙ୍କ ସହ ପ୍ରିୟଙ୍କା ପହଲଗାମ ଯାଇଥିଲେ ଓ ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ।  ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ଏହିସବୁ ଫଟୋ ପ୍ରିୟଙ୍କାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି । ଏସବୁ ଭିତରେ  ଜ୍ୟୋତିଙ୍କ ଗୁଇନ୍ଦାଗିରିର ଗୁମର ଯେତିକି ଫିଟୁଛି, ପ୍ରିୟଙ୍କାଙ୍କ ଉପରେ ସଙ୍କଟ ସେତିକି ଘନଉଛି । 

ସୋମବାର ଦିନ ତମାମ ପ୍ରିୟଙ୍କାଙ୍କ ଘରେ ତାଲା ପଡିଥିବାର ଦେଖିବାକୁ ମିଳିଥିଲା ।  ଆଶଙ୍କା କରାଯାଉଛି ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ଏକାଧିକ ୟୁଟ୍ୟୁବର ଗିରଫ ହେବା ପରେ ପ୍ରିୟଙ୍କାଙ୍କ ପାଇଁ ସଙ୍କଟ ବଢିଯାଇଛି । ୨ ଦିନ ତଳେ ପ୍ରିୟଙ୍କାଙ୍କ ବଡ଼ବାପା କହିଥିଲେ, ଦେଶ ଆଗ, ଝିଅ ପଛ । ଏସବୁ ଭିତରେ ପୁରୀ ଏସପି କହିଛନ୍ତି ,ଏନଆଇଏ ଏଯାଏଁ ପ୍ରିୟଙ୍କାଙ୍କୁ ଜେରା କରିନି । କିନ୍ତୁ ଆଗକୁ ଏନଆଇଏ ସ୍କାନରକୁ ଆସିପାରନ୍ତି ପ୍ରିୟଙ୍କା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe