କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରିଛି ଏନଆଇଏ । ଏପଟେ ଜ୍ୟୋତିଙ୍କ ସହ ବିଭିନ୍ନ ସ୍ଥାନକୁ ଯାଉଥିବା ପୁରୀର ପ୍ରିୟଙ୍କାଙ୍କୁ ଗତକାଲି ଠାରୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରିୟଙ୍କାଙ୍କୁ କାଳିକାଦେବୀ ସାହି ଘରୁ ପୁଲିସ ଉଠାଇ ନେଇଥିଲା । ଏସପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୁଲିସ ଭିସି ଜରିଆରେ କରିଥିଲା ପଚରାଉଚରା ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ କେମିତି ବନ୍ଧୁତା ହେଲା ସେନେଇ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କେବେ ଓ କାହିଁକି ପାକିସ୍ତାନ ଯାଇଥିଲେ ସେନେଇ ପ୍ରଶ୍ନ କରିଥିଲା ହିସାର ପୁଲିସ । ଅନ୍ୟପଟେ ପ୍ରିୟଙ୍କା କର୍ତାରପୁର କରିଡର ଦେଇ ପାକିସ୍ତାନ ଯାଇଥିବାର ଫଟୋ ସୋସିଆଲ ମିଡ଼ିଆରେ ନିଜେ ପୋଷ୍ଟ କରିଥିଲେ। କର୍ତାରପୁର କରିଡର ସାମ୍ନାରେ ଛିଡା ହୋଇ ସେଲଫି ଉଠାଇଥିଲେ ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି। ହାତରେ ପାକିସ୍ତାନ ଟଙ୍କା ଓ ପାସପୋର୍ଟ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏପରିକି ଜ୍ୟୋତିଙ୍କ ସହ ପ୍ରିୟଙ୍କା ପହଲଗାମ ଯାଇଥିଲେ ଓ ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ। ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ଏହିସବୁ ଫଟୋ ପ୍ରିୟଙ୍କାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି । ଏସବୁ ଭିତରେ ଜ୍ୟୋତିଙ୍କ ଗୁଇନ୍ଦାଗିରିର ଗୁମର ଯେତିକି ଫିଟୁଛି, ପ୍ରିୟଙ୍କାଙ୍କ ଉପରେ ସଙ୍କଟ ସେତିକି ଘନଉଛି ।
ସୋମବାର ଦିନ ତମାମ ପ୍ରିୟଙ୍କାଙ୍କ ଘରେ ତାଲା ପଡିଥିବାର ଦେଖିବାକୁ ମିଳିଥିଲା । ଆଶଙ୍କା କରାଯାଉଛି ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ଏକାଧିକ ୟୁଟ୍ୟୁବର ଗିରଫ ହେବା ପରେ ପ୍ରିୟଙ୍କାଙ୍କ ପାଇଁ ସଙ୍କଟ ବଢିଯାଇଛି । ୨ ଦିନ ତଳେ ପ୍ରିୟଙ୍କାଙ୍କ ବଡ଼ବାପା କହିଥିଲେ, ଦେଶ ଆଗ, ଝିଅ ପଛ । ଏସବୁ ଭିତରେ ପୁରୀ ଏସପି କହିଛନ୍ତି ,ଏନଆଇଏ ଏଯାଏଁ ପ୍ରିୟଙ୍କାଙ୍କୁ ଜେରା କରିନି । କିନ୍ତୁ ଆଗକୁ ଏନଆଇଏ ସ୍କାନରକୁ ଆସିପାରନ୍ତି ପ୍ରିୟଙ୍କା ।