କନକ ବ୍ୟୁରୋ : ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିହାତି ନିନ୍ଦନୀୟ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ । ପରିବହନ ବିଭାଗକୁ ସ୍ଥାଣୁ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼୍ଯନ୍ତ୍ର । ମୁଖ୍ୟ ସମସ୍ୟା ହେଉଛି ବାରମ୍ବାର ଯାଞ୍ଚ ଯୋଗୁଁ ଯାତ୍ରୀବାହୀ ବସ୍ ହିଁ ହଇରାଣ ହେବେ । ଏଭଳି ଅଭିଯୋଗ ଆଣିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଏହି ପ୍ରସ୍ତାବର ପୁନଃ ନିଷ୍ପତ୍ତି ପାଇଁ ସଂଘ ଦାବି କରିଛି । ନଚେତ୍ ଆଗକୁ ସବୁ ଯାତ୍ରୀବାହୀ ବସ୍ ମାଲିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଘ ।
ସଂଘ ସମ୍ପାଦକଙ୍କ କହିବା କଥା, କୌଣସି ବସ୍ ଯଦି ବରମୁଣ୍ଡାରୁ ବାଲେଶ୍ବର ଅଭିମୁଖେ ବାହାରିଲା ରାସ୍ତାରେ ୧୦ରୁ ଅଧିକ ଥାନା ପଡ଼ୁଛି , ଯଦି ସବୁ ଥାନାରେ ଗୋଟିଏ ବସକୁ ବାରମ୍ବାର ଯାଞ୍ଚ କରାଯିବ ବସ୍ ସେବା ବାଧାପ୍ରାପ୍ତ ହେବ । ଯଦି ଟୋଲ୍ ଗେଟରେ ବସ୍ ପରମିଟ୍ ଓ ଫିଟନେସ୍ ଯାଞ୍ଚ କରାଯାଇପାରୁଛି, ତା’ହେଲେ ପୁଲିସ କାହିଁକି ଏହି ଯାଞ୍ଚର ଭାର ମୁଣ୍ଡାଇବ ବୋଲି ସେ ପ୍ରଶ୍ନ କରିଛନ୍ତି ।